
ଚୌଦ୍ୱାର (ଶିବବ୍ରତ ଦାସ )ସାଧାରଣ ଲୋକଙ୍କ ପାଇଁ ଘରବାରି କାମ ସରିବା ଆଜିଭି ଏକ ଦୁର୍ଗମ ଯାତ୍ରା, ଯେଉଁଠାରେ ନିୟମ ଠାରୁ ବେଶି ଚାଲିଛି ଲାଞ୍ଚର ଖେଳ। ଏହାକୁ ପୁଣିଥରେ ପ୍ରମାଣ କରିଦେଇଛି ମଙ୍ଗରାଜପୁରର ଘଟଣା। ଟାଙ୍ଗୀ ଚୌଦ୍ଵାର ବ୍ଲକ ଅଧୀନ ମଙ୍ଗରାଜପୁର ପଞ୍ଚାୟତର ରାଜସ୍ୱ ନୀରିକ୍ଷକ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡିଛନ୍ତି। ସୂଚନା ଅନୁସାରେ, ଜଣେ ସାଧାରଣ ନାଗରିକ ନିଜ ଘରବାରି କାମ ପାଇଁ କାର୍ଯ୍ୟାଳୟର ଦ୍ୱାରେ ଦ୍ୱାରେ ଘୁରୁଥିବା ବେଳେ ଶେଷରେ “ଦାମ ଦେଲେ କାମ” ନୀତିର ସମ୍ମୁଖୀନ ହୋଇଥିଲେ। ଅଭିଯୁକ୍ତ ରାଜସ୍ୱ ନୀରିକ୍ଷକ ସ୍ପଷ୍ଟଭାବେ ୩୦ ହଜାର ଟଙ୍କା ଦାବି କରିଥିବା କୁହାଯାଉଛି। ବିବଶ ହୋଇ ସେହି ବ୍ୟକ୍ତି ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।
ଯୋଜନାମୂଳକ ଭାବେ ଭିଜିଲାନ୍ସ ଟିମ୍ ଫାନ୍ଦ ପତ୍ରାଇଥିବାବେଳେ, ଲାଞ୍ଚ ନେବା ସମୟରେ ଅଭିଯୁକ୍ତଙ୍କର ହାତ ରଙ୍ଗିଗଲା। ଟଙ୍କା ସହିତ ସେଠାରେ ତାଙ୍କୁ ଧରି ନିଆଯାଇଥିଲା। ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଉଛି—ସରକାରୀ କାର୍ଯ୍ୟାଳୟ କି ଲୋକସେବା ପାଇଁ, ନା କି ବ୍ୟକ୍ତିଗତ ଆୟର କେନ୍ଦ୍ରବିନ୍ଦୁ ହୋଇପଡିଛି? ଗୋଟେ ପଟେ ସରକାର ଦୁର୍ନୀତି ବିରୋଧରେ କଠୋର ଭାବନା ଦେଖାଉଥିବା ବେଳେ, ଅନ୍ୟ ପଟେ ଏମିତି ଘଟଣା ସେହି ଦାବିକୁ ନିର୍ବଳ କରୁଛି। ଯଦି ଏହି ପ୍ରକାର ଲାଞ୍ଚ ଚକ୍ରକୁ ସମୟରେ ଭାଙ୍ଗାଯିବ ନାହିଁ, ତେବେ ସାଧାରଣ ଲୋକଙ୍କ ପାଇଁ “ସରକାରୀ ସେବା” ଶବ୍ଦଟି କେବଳ ଏକ ହାସ୍ୟାସ୍ପଦ ଧାରଣା ହୋଇରହିବ। ଏବେ ଦେଖିବାକୁ ଅଛି, କେବଳ ଧରପକଡ଼ରେ କଥା ସେମାନେ ସମାପ୍ତ କରିଦେବେ, ନା କି ଦୃଢ଼ କାର୍ଯ୍ୟବାହୀ ମାଧ୍ୟମରେ ଏହାକୁ ଏକ ଉଦାହରଣ ରୂପେ ପ୍ରସ୍ତୁତ କରିବେ।