
ଭଞ୍ଜନଗର ୨୯/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା କାଳୀ ମନ୍ଦିର ନିକଟରୁ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି। ସେ ହେଲେ ଖମରାପଲ୍ଲୀର ଶିବରାମ ରାଉତ (୨୫)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇଛି। ଶିବରାମ ମାମୁଘର କୋକଲୁଣ୍ଡାରେ ରହୁଥିଲେ। ଗତକାଲି ରାତିରେ ସେ ଦଣ୍ଡନାଚ ଦେଖିବାକୁ ବାଇକ୍ରେ ଯିବା ସମୟରେ କୌଣସି ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।