ସରକାରୀ ଜମିରେ ମାଫିଆ ରାଜ୍, ନିରବ ତହସିଲ ପ୍ରଶାସନ! ଜମି ମାଫିଆଙ୍କ ସହ ତହସିଲ ପ୍ରଶାସନ ର ମଧୁଚନ୍ଦ୍ରିକା

ଚୌଦ୍ୱାର (ଶିବବ୍ରତ ଦାସ ): ଟାଙ୍ଗୀ ଚୌଦ୍ବାର ତହସିଲ ଅନ୍ତର୍ଗତ ଭଗତପୂର ଅଞ୍ଚଳରେ ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ ଘଟଣା ନେଇ ଚିନ୍ତା ବୃଦ୍ଧି ପାଇଛି। ସରକାରୀ ପ୍ଲଟ ନମ୍ବର ୭୧୬ ଉପରେ ଖୁଲମଖୋଲା ଭାବରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସତ୍ତ୍ୱେ ତହସିଲ ପ୍ରଶାସନ ନିରବ ଦର୍ଶକ ଭୂମିକା ନେଇଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଏହି ବେଆଇନ କାର୍ଯ୍ୟ ପ୍ରତି ଅନେକଥର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନାହିଁ। ବିପରୀତରେ, ତହସିଲଦାରଙ୍କ ଉପରେ ଦଲାଲ ଓ ମାଫିଆ ମାନଙ୍କ ସହ ମିଳିତ ହୋଇ କାର୍ଯ୍ୟ କରୁଥିବାର ଗୁରୁତର ଅଭିଯୋଗ ଉଠିଛି। ଏହା ସହିତ, କୋର୍ଟକୁ ଭୁଲ ସୂଚନା ପ୍ରଦାନ କରାଯାଉଥିବା କଥା ମଧ୍ୟ ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେତେକ ଲୋକଙ୍କ ଦାବି ଅନୁଯାୟୀ, ରାଜନୈତିକ ପ୍ରଭାବ ଥିବା କିଛି ବ୍ୟକ୍ତିଙ୍କ ସମ୍ପର୍କ ଥିବାରୁ ପ୍ରଶାସନ ଆକ୍ସନ ନେବାକୁ ପଛଘୁଞ୍ଚା ଦେଉଛି। ଯଦିଓ ଏହାକୁ ନେଇ କୌଣସି ଅଧିକାରିଙ୍କ ପ୍ରତିକ୍ରିୟା ମିଳିନାହିଁ, ତଥାପି ଏହି ଘଟଣା ନେଇ ଅଞ୍ଚଳରେ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି। ଏପରି ପରିସ୍ଥିତିରେ, ଯଦି ଶୀଘ୍ର ପଦକ୍ଷେପ ନ ନିଆଯାଏ, ତେବେ ଗ୍ରାମବାସୀମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।