
ଚୌଦ୍ୱାର (ଶିବବ୍ରତ ଦାସ ): ଚୌଦ୍ୱାର ସହରରେ ବିଜୁ ବାବୁଙ୍କ ନାମରେ ଗଢ଼ିଉଠିଥିବା ମାର୍କେଟ କମ୍ପ୍ଲେକ୍ସରେ ଜାତୀୟ ପତାକା ତ୍ରିରଙ୍ଗା ଚିରିଯାଇଥିବା ଘଟଣା କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା। ଏହା ପରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ମଧ୍ୟ ଦେଖିବାକୁ ମିଳିଥିଲା। ତଥାପି, ଅତ୍ୟନ୍ତ ଦୁଃଖର ବିଷୟ ହେଲା ଚିରିଯାଇଥିବା ତ୍ରିରଙ୍ଗାକୁ କଢ଼ାଯାଇଥିବା ସତ୍ୱେ, ତାହାର ସ୍ଥାନରେ ନୂତନ ଜାତୀୟ ପତାକା ଏପର୍ଯ୍ୟନ୍ତ ଲାଗି ପାରିନାହିଁ। ଏହି ଅବହେଳାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ—ଜାତୀୟ ପତାକା ପ୍ରତି ଏପରି ଅବହେଳା କେତେଦୂର ଯୁକ୍ତିସଙ୍ଗତ? ଯେଉଁ ସ୍ଥାନଟି ବିଜୁ ବାବୁଙ୍କ ନାମରେ ପରିଚିତ, ସେଠାରେ ଏପରି ଘଟଣା ଘଟିବା ନିଶ୍ଚୟ ଦୁଃଖଦ ଓ ନିନ୍ଦନୀୟ। ଏହି ଘଟଣା ପୌରପାଳିକାର କାର୍ଯ୍ୟପ୍ରଣାଳୀ ଉପରେ ଗଭୀର ପ୍ରଶ୍ନ ଉଠାଇଛି। ଜାତୀୟ ପତାକା ଯେଉଁଠାରେ ସମ୍ମାନ ଓ ଗର୍ବର ପ୍ରତୀକ, ସେଠାରେ ତାହାର ସ୍ଥାନ ଖାଲି ରହିବା ପୌରପାଳିକାର ଦେଶପ୍ରେମକୁ ସ୍ପଷ୍ଟ କରିଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଏବେ ପ୍ରଶ୍ନ ଉଠୁଛି—ପୌରପାଳିକା କେବେ ଜାଗିବ? କେବେ ନୂଆ ତ୍ରିରଙ୍ଗା ଲାଗିବ? ଏବଂ ଏହି ଅବହେଳା ପାଇଁ କିଏ ଦାୟୀ? ତାହାର ଉତ୍ତର ଦେବାକୁ ଲୋକମାନେ ଅପେକ୍ଷା କରିଛନ୍ତି।