
ଚୌଦ୍ୱାର,(ଚୌଦ୍ୱାର ): ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ସରକାରୀ ଧନର ଅପବ୍ୟବହାର ଓ ଯୋଜନା ଦୁର୍ନୀତିକୁ ନେଇ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ରାସନ୍ କାର୍ଡ, ଆବାସ ଯୋଜନା ଓ ଭତା ବଣ୍ଟନ ଭଳି ଅନେକ କ୍ଷେତ୍ରରେ ଅନିୟମିତତା ହେଉଥିବା ଅଭିଯୋଗ ଆସୁଥିବା ବେଳେ, ବ୍ଲକ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ତଦନ୍ତ କରିବା ପରିବର୍ତ୍ତେ ନିରବ ଭୂମିକା ନେଇଥିବା ଅଭିଯୋଗ ହେଉଛି।
ବିଶେଷ କରି ବ୍ଲକ ଅଧିକାରୀ ଏନ୍.ଏନ୍. ରାଜଲକ୍ଷ୍ମୀ ଓଝାଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଦୁର୍ନୀତି ସମ୍ପର୍କରେ ପଚାରାଗଲେ “ତଦନ୍ତ ହୋଇଛି” ବୋଲି କୁହୁଥିବା ବେଳେ, ତଦନ୍ତ ରିପୋର୍ଟ ମାଗିଲେ “ଲିଖିତ ଆବେଦନ ଦିଅନ୍ତୁ” ବୋଲି ଉତ୍ତର ମିଳୁଥିବାରୁ ପ୍ରଶାସନର ସ୍ୱଚ୍ଛତାକୁ ନେଇ ସନ୍ଦେହ ବଢ଼ିଛି। ଅନ୍ୟପଟେ କ୍ୟାମେରା ସମ୍ମୁଖରେ ଅଧିକାରୀଙ୍କ ନିରବତା ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ନିଜ କର୍ମଚାରୀଙ୍କ ଦୋଷକୁ ଲୁଚାଇବା ପାଇଁ ଯୁକ୍ତି ବାଢ଼ୁଥିବା ବେଳେ, ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ନ ନିଆଯିବା ସାଧାରଣ ଲୋକଙ୍କ ମନରେ ଅସନ୍ତୋଷକୁ ଆହୁରି ବଢ଼ାଇଛି। ସୂଚନା ଅନୁଯାୟୀ, ବ୍ଲକ ଅଧୀନରେ ଥିବା ୨୪ଟି ପଞ୍ଚାୟତରେ ବିଭିନ୍ନ ଯୋଜନାରେ ଅନିୟମିତତା ହେଉଥିବା ଚର୍ଚ୍ଚା ଜୋର ଧରିଛି। କିନ୍ତୁ କାଗଜପତ୍ରରେ ସବୁକିଛି ଠିକ୍ ଚାଲିଥିବା ଦର୍ଶାଇ ପ୍ରଶାସନ ନିଜକୁ ସୁରକ୍ଷିତ ରଖୁଥିବା ଅଭିଯୋଗ ହେଉଛି। ଏବେ ପ୍ରଶ୍ନ ଉଠୁଛି— ସରକାରୀ ଅର୍ଥର ଅପବ୍ୟବହାର ଉପରେ କେବେ ପଡ଼ିବ ସରକାରଙ୍କ ଦୃଷ୍ଟି? କେବେ ଦୁର୍ନୀତି ମୁକ୍ତ ହେବ ଟାଙ୍ଗୀ-ଚୌଦ୍ୱାର ବ୍ଲକ? ଏହାକୁ ନେଇ ଏବେ ପଞ୍ଚାୟତବାସୀଙ୍କ ମଧ୍ୟରେ ଚର୍ଚ୍ଚା ସହ ଅପେକ୍ଷା ମଧ୍ୟ ବଢ଼ୁଛି।