‘ଶୁଭେନ୍ଦୁ’ ହେବେ ପଶ୍ଚିମବଙ୍ଗର ନୂଆଁ ‘ଅଧିକାରୀ’; ମୁଖ୍ୟମନ୍ତ୍ରୀ ଭାବେ ଶନିବାର ନେବେ ଶପଥ

କଲିକତା (ବ୍ୟୁରୋ ରିପୋର୍ଟ , ଓଡ଼ିଶା ଟୁଡେ): ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକ ରେ ଶୁଭେନ୍ଦୁଙ୍କ ନାମରେ ମୋହର ଲଗାଇଛନ୍ତି ପଶ୍ଚିମବଙ୍ଗ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଗୃହମନ୍ତ୍ରୀ ଅମିତ୍ ଶାହା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ । ଶନିବାର ପୂର୍ବାହ୍ନ ୧୧ ଟା ସମୟରେ କୋଲକାତାର ବ୍ରିଗେଡ୍‌ ପରେଡ୍‌ ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ । ୧୫ ବର୍ଷର ମମତା ବାନାର୍ଜୀ ସରକାର ପରିବର୍ତ୍ତନ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ ଶୁଭେନ୍ଦୁ ଅଧିକାରୀ, ଯାହାର ଫଳ ତାଙ୍କୁ ମିଳିଛି । ୨୦୭ ସିଟ୍ ରେ ବିଜେପି ପଶ୍ଚିମବଙ୍ଗରେ ବାଜିମାତ୍ କରି ବହୁମତ ହାସଲ କରିଛି। ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଆର.ଏନ୍ ରବି ଙ୍କୁ ଶୁଭେନ୍ଦୁ ଅଧିକାରୀ ଭେଟି ସରକାର ଗଠନ ପାଇଁ ବହୁମତ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି ।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଭୟ ରାଜ୍ୟରେ ବିଜେପି ସରକାର ଆସିଥିବାରୁ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ନିବିଡ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହା ସହ ଶୁଭେନ୍ଦୁଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ ଉନ୍ନତି କରିବ ବୋଲି ସେ କହିଥିଲେ । ଶୁଭେନ୍ଦୁ ଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପଶ୍ଚିମବଙ୍ଗ ଜନତା ଉତ୍ସାହ ମନାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ଫିଲ୍ମ ଷ୍ଟାର ଏବଂ କ୍ରିକେଟର ମଧ୍ୟ ଯୋଗଦେବେ ।