
ଚୌଦ୍ୱାର, (ଚୌଦ୍ୱାର ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି। ଶ୍ରମିକମାନଙ୍କୁ ମଧ୍ୟ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ନ କରିବାକୁ ପରାମର୍ଶ ଦିଆଯାଇଛି। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯାଉଥିବା ବେଳେ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଏହା କେବଳ ନାମକୁ ମାତ୍ର ରହିଥିବା ଅଭିଯୋଗ ହେଉଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବଡ଼ ବଡ଼ ଅକ୍ଷରରେ “ପାନୀୟ ଜଳ ସେବା କେନ୍ଦ୍ର” ଲେଖା ଥିଲେ ମଧ୍ୟ ସେଠାରେ ପାଣିର ଦେଖା ମିଳୁନାହିଁ। ଫଳରେ ଦୂରଦୂରାନ୍ତରୁ ବିଭିନ୍ନ କାମରେ ଆସୁଥିବା ଲୋକମାନେ ଓ ବସକୁ ଅପେକ୍ଷା କରି ରହୁଥିବା ଛାତ୍ରଛାତ୍ରୀମାନେ ତାତିରେ ଶୋଷ ମେଣ୍ଟାଇବା ପାଇଁ ପାଣି ଖୋଜି ବୁଲୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବ୍ଲକର ଅଧିକାରୀ ଓ କର୍ମଚାରୀମାନେ ଏସି ଘର ଭିତରେ ସୁବିଧାରେ କାର୍ଯ୍ୟ କରୁଥିବା ବେଳେ ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ପାଣି ପାଇଁ ହାହାକାର ସୃଷ୍ଟି ହୋଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ ଯେ, ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରାଙ୍କ ହସ୍ତରେ ୨୦୦୮ ମସିହାରେ ଉଦ୍ଘାଟିତ ପାନୀୟ ଜଳ ପ୍ରକଳ୍ପଟି ମଧ୍ୟ ଏବେ ଅଚଳ ଅବସ୍ଥାରେ ପଡ଼ିରହିଛି। ଦୀର୍ଘଦିନ ଧରି ଏହା ମରାମତି ହୋଇନଥିବା ବେଳେ ପ୍ରଶାସନର ଦୃଷ୍ଟି ପଡ଼ୁନଥିବା ଅଭିଯୋଗ ହେଉଛି। ସାଧାରଣ ଲୋକଙ୍କ ଅଭିଯୋଗ, ଜନସେବା ଠାରୁ ଅଧିକ ସରକାରୀ ଯୋଜନାରେ କିପରି ଦୁର୍ନୀତି ଓ ପିସି କାରବାର ଚାଲିବ ସେଥିରେ କିଛି ଅଧିକାରୀ ବେଶି ବ୍ୟସ୍ତ ରହୁଛନ୍ତି। ପ୍ରବଳ ଗ୍ରୀଷ୍ମ ସମୟରେ ଏଭଳି ଅବ୍ୟବସ୍ଥା ଏବେ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।