
ଗଞ୍ଜାମ ୧୩/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ୱତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆସିକା ଏସଡ଼ିପିଓ ସନ୍ତୋଷ ଜେନାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୁପ ନିଲମ୍ବିତ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ଗତ ୧୨ ତାରିଖରେ ଜାରି ହୋଇଥିବା ପତ୍ର ସଂଖ୍ୟା-୧୬୨୩୬ ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ନିଲମ୍ବନ ସମୟରେ ସେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ରହିଛି।
ପ୍ରକାଶ ଯୋଗ୍ୟ ଯେ ଏସଡିପିଓ ଜେନା ପୂର୍ବରୁ ଆସିକା ଥାନାର ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ପରେ ସେ ରାଉରକେଲା ଓ ପରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ପୁଣି ଗଞ୍ଜାମ ପୁଲିସ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିଲେ I ତେବେ ନିଜର ପୁରୁଣା ଅଭିଜ୍ଞତା ଓ ସମ୍ପର୍କ ଆଧାରରେ ସେ ଲୋକଙ୍କ ଯେତିକି ନିକଟତର ହୋଇପାରି ନଥିଲେ, ଅଧିକ ବ୍ୟବସାୟୀଙ୍କ ନିକଟତର ହେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ ଅନ୍ୟ ବ୍ୟବସାୟୀଙ୍କ ଭଳି ନିକଟ ଅତୀତରେ ଆସିକା କୋଟିନଡା ଥାନା ଅନ୍ତର୍ଗତ ସିନ୍ଧିନୂଆଗାଁର ଶିବରାମ ସାହୁ ଏସଡିପିଓ ସନ୍ତୋଷ ଜେନାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଆସିକା ଥାନାରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଜରିଆରେ ସେ ବ୍ୟବସାୟୀଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ କରିଥିଲେ। ଶିବରାମଙ୍କ ପତ୍ନୀଙ୍କ ନାମରେ ଏକ ବିଦେଶୀ ମଦ ଦୋକାନ ଥିବା ବେଳେ ଏସଡିପିଓ ଜେନା ତାଙ୍କୁ ବିଭିନ୍ନ ପ୍ରକାରର ଧମକଚମକ ଦେଇ ହଇରାଣ ହରକତ କରୁଥିବା ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଶିବରାମ ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ, ଗୃହବିଭାଗ ସଚିବ ଓ ଗଞ୍ଜାମ ଏସପିଙ୍କୁ ଲିଖିତ ଭାବେ ଜଣାଇବା ସହ କୋଟିନଡା ଥାନାରେ ଆସିକା ଏସଡିପିଓ ଓ ସମ୍ପୃକ୍ତ କନେଷ୍ଟବଳଙ୍କ ବିରୁଦ୍ଧରେ ଅଭିଯୋଗ ମଧ୍ୟ କରିଥିଲେ | ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶିବରାମ ଆସିକା ଜେଏମଏଫସିଙ୍କ କୋର୍ଟରେ ଏକ ୱାନସିସି ମାମଲା ଦାଏର କରିଥିଲେ | ଏପରିକି ନିଜ ଜୀବନ ପ୍ରତି ବିପଦ ଥିବା ସେ କହିଥିଲେ |କେବଳ ସେତିକି ନୁହେଁ, ସମ୍ପୃକ୍ତ କନେଷ୍ଟବଳଙ୍କ ଜରିଆରେ ସୁନା ବ୍ୟବସାୟୀ ଓ ବାଲି ମାଫିଆଙ୍କ ଠାରୁ ନିୟମିତ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କଲେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଅଯଥାରେ ସେ ହଇରାଣ ହରକତ କରୁଥିବା ନେଇ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଆସିଛି। ଯାହାକୁ ନେଇ ଏସଡିପିଓ ଶ୍ରୀଜେନାଙ୍କ ବିରୁଦ୍ଧରେ ଆସିକା ଅଞ୍ଚଳର ସୁନା ବ୍ୟବସାୟୀଙ୍କ ସମେତ ମଦ ଓ ବାଲି ବ୍ୟବସାୟୀଙ୍କ ପକ୍ଷରୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ମଧ୍ଯ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଗୃହବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ପରେ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଥିବା ବେଳେ ଦାୟିତ୍ବ ଓ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଲୋକଙ୍କ ସହିତ ସମ୍ପର୍କ ଭଲ ରଖୁନଥିବା ପୁଲିସ ଅଧିକାରୀଙ୍କ ପାଇଁ ଏକ ସତର୍କ ଘଣ୍ଟି ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷେ ଆସିକା ନୂତନ ଏସଡିପିଓ ଭାବେ ବରିଷ୍ଠ ପୁଲିସ ଅଧିକାରୀ ଗିରିଜା ପଟ୍ଟନାୟକଙ୍କୁ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି ।