
ଚୌଦ୍ୱାର (ଶିବବ୍ରତ ଦାସ ): ସରକାରୀ ଯୋଜନା ଗରିବ ଓ ଭୂମିହୀନଙ୍କ ପାଇଁ କିନ୍ତୁ ଏଠାରେ ଚିତ୍ରଟା ଠିକ୍ ଓଲଟା। ପଟା ମିଳିଗଲା, ଆବାସ ମଧ୍ୟ ମିଳିଗଲା, କିନ୍ତୁ ସରକାରୀ ଜମିକୁ ଛାଡ଼ିବାକୁ ମନ ହେଉନାହିଁ। ଆର୍ଥିକ ବର୍ଷ ୨୦୧୯-୨୦ ରେ ସୁକୁଆ ସାହି ବସ୍ତିରେ ରହୁଥିବା କିଛି ଜଣଙ୍କୁ ସରକାର ୧ ଲକ୍ଷ ୨୦ ହଜାର ଟଙ୍କା ଆବାସ ପାଇଁ ଦେଇଥିବା ଜଣାପଡିଛି। କିନ୍ତୁ ସରକାରଙ୍କ ନିୟମ ବାହାରେ ରହି ଏହି ଅର୍ଥକୁ ବ୍ୟବହାର କରିଛନ୍ତି କିଛି ବ୍ୟକ୍ତି। ଯାହା କାଗଜ କଲମରେ ସମ୍ପୂର୍ଣ ହୋଇଥିବା ବେଳେ ଭୂମି ସ୍ତରରେ ଅଧାପନ୍ତରିଆ ହୋଇ ରହିଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ନାହିଁ। ଏହି ଅଦ୍ଭୁତ ପରିସ୍ଥିତି ଦେଖିବାକୁ ମିଳିଛି ଟାଙ୍ଗୀ ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତର ସୁକୁଆ ସାହି ଗ୍ରାମରେ। କିଛି ବର୍ଷ ତଳେ ନିଜ ଭିଟାମାଟି ଛାଡ଼ି ଏଠାକୁ ଆସିଥିବା କେତେକ ପରିବାର, ଯେଉଁମାନଙ୍କର ପୌତ୍ରିକ ସମ୍ପତ୍ତି ଥିବା କଥା ଚର୍ଚ୍ଚାରେ, ସେମାନେ ଆଜି ଭୂମିହୀନ ଭାବେ ପଟା ମଧ୍ୟ ପାଇଗଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଭାନ୍ୱିତ ମଧ୍ୟ ହେଲେ। ବାସ୍ତବରେ ଏହି ଯୋଜନା କାହା ପାଇଁ? ନିଜର ଜମି ଥିବା ଲୋକଙ୍କ ପାଇଁ ନା କି ସତ୍ୟିକର ଭୂମିହୀନଙ୍କ ପାଇଁ? ଆଶ୍ଚର୍ଯ୍ୟର କଥା ହେଉଛି, ସମସ୍ତ ସୁବିଧା ମିଳିବା ପରେ ବି ସରକାରୀ ଜମି ଛାଡ଼ିବାରେ ଏହି ଲୋକମାନଙ୍କର ଅନାଗ୍ରହ ଦେଖାଯାଉଛି। ତେବେ ଏହି ପଟା ଓ ଆବାସ କାହା ସ୍ୱାର୍ଥରେ? ସରକାରୀ ଯୋଜନା ଏବେ କି ଦୁଇଥର ଲାଭ ଉଠାଇବାର ଏକ ନୂଆ ଉପାୟ ହୋଇପଡ଼ିଛି? ଏହା ପଛରେ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ନିରୀହ ଆଦିବାସୀଙ୍କୁ ଆଗକୁ ରଖି, ପଛରେ କିଏ ଲାଭ ଉଠାଉଛି ଏହି ପ୍ରଶ୍ନ ଆଜି ସମସ୍ତଙ୍କର ମନରେ ଗୁଞ୍ଜରି ଉଠୁଛି। ତେବେ ପ୍ରଶାସନିକ ତଦନ୍ତକାରୀ ଅଧିକାରୀ କେଉଁଠି ଥିଲେ? ଏମାନଙ୍କର ବାସ୍ତବ ସ୍ଥିତି, ଜମିବାଡ଼ି ଓ ଘର ଦ୍ୱାର ଥିବା ନେଇ ତଦନ୍ତ କେବେ ହେଲା? ନା କି ଫାଇଲ୍ ଉପରେ ମାତ୍ର କଲମ ଚାଲିଲା? ଏବେ ପଞ୍ଚାୟତର ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ! ସତ୍ୟ ସମ୍ମୁଖକୁ ଆସିବ? ନା ଏହା ମଧ୍ୟ ଅନ୍ୟ ଘଟଣାମାନଙ୍କ ପରି ଫାଇଲ୍ ମଧ୍ୟରେ ହିଁ ଚାପି ହୋଇ ପଡ଼ିରହିବ? ଖବର ପ୍ରସାରଣ ପରେ ନିରପେକ୍ଷ ତଦନ୍ତ ହେବ କି ନାହିଁ, ଏବଂ ମୂଲ୍ୟବାନ ସରକାରୀ ଜମିକୁ ମୁକ୍ତ କରାଯିବ କି ନାହିଁ, ଏବେ ଅଞ୍ଚଳର ସମସ୍ତଙ୍କ ଦୃଷ୍ଟି ଏହି ଘଟଣା ଉପରେ। ନା କି ପୁଣିଥରେ ଯୋଜନାର ନାଁରେ କିଛି ଲୋକଙ୍କର ପକେଟ୍ ଭରିବ ଓ ସତ୍ୟ ଭୂମିହୀନ ଲୋକମାନେ ଅପେକ୍ଷାରେ ରହିଯିବେ?