
ବେଲଗୁଣ୍ଠା/୧୫/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଓଡିଶା ପ୍ରଦେଶ କିଷାନ କଂଗ୍ରେସର ପୂର୍ବତନ ସମ୍ପାଦକ ତଥା ପୂର୍ବତନ ବେଲଗୁଣ୍ଠା ନଗର କଂଗ୍ରେସ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ(୫୯)ଙ୍କର ଶୁକ୍ରବାର ଦିନ ସକାଳ ସାଢ଼େ ୯ଟା ବେଳେ ଅକାଳ ବିୟୋଗ ଘଟିଛି । ସନ୍ତୋଷ ସକାଳ ୭ ଘଣ୍ଟ ସମୟରେ ଛାତିରେ କଷ୍ଟ ଅନୁଭବ କରି କଥା କହିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତୁରନ୍ତ ତାଙ୍କୁ ସାନ ଭାଇ ବୁଲୁ ଓ ଅନ୍ୟମାନେ ସ୍ଥାନୀୟ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପ୍ରାଥମିକ ଚିକିତ୍ସା ପରେ ସନ୍ତୋଷଙ୍କୁ ବ୍ରହ୍ମପୁର କିମ୍ବା ଭୁବନେଶ୍ୱର ନେବା ପାଇଁ ଡ଼ାକ୍ତର ପରାମର୍ଶ ଦେବା ପରେ ତାଙ୍କୁ ଭୁବନେଶ୍ୱର ନିଆଯିବା ବାଟରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ତାଙ୍କର ହୃଦଘାତ ହୋଇଥିବା ଅନୁମାନ କରାଯାଉଛି । ସନ୍ତୋଷ କଂଗ୍ରେସର ଜଣେ ସଚ୍ଚୋଟ ରାଜନେତା ହେବା ସହ ଜଣେ ଦରଦି ମଣିଷ ଭାବେ ସମସ୍ତଙ୍କ ସୁଖ ଦୁଃଖର ସାମିଲ ହେଉଥିଲେ । ଜଣେ ଆମାୟିକ , ମିଷ୍ଠ ଭାଷୀ ,ପାରୋପକାରୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିବା ବେଳେ ଜଣେ ସମାଜସେବୀ ଭାବେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ପୂର୍ବରୁ ସେ ନଗର କଂଗ୍ରେସ ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରିଥିବା ବେଳେ ୨୦୨୫ ମସିହାରେ ଓଡ଼ିଶ ପ୍ରଦେଶ କିଷାନ କଂଗ୍ରେସ ସମ୍ପାଦକ ଭାବେ କାର୍ଯ୍ୟ କରିବା ସହ ସ୍ୱତନ୍ତ୍ର ଭାବେ କିଷାନ କଂଗ୍ରେସର କନ୍ଧମାଳ ଓ ଗଜପତି ଜିଲ୍ଲା ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ । ରାଜ୍ୟର ପ୍ରାୟ ପ୍ରତ୍ୟେକ କଂଗ୍ରେସ କାର୍ଯ୍ୟକ୍ରମରେ ସନ୍ତୋଷ ଯୋଗ ଦେଇ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ସନ୍ତୋଷଙ୍କ ଅକାଳ ବିୟୋଗରେ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସନ୍ତୋଷଙ୍କ ଅକାଳ ବିୟୋଗ ପରେ ତାଙ୍କର ବେଲଗୁଣ୍ଠା ହାଟପଦା ସ୍ଥିତ ବାସଭବନରେ ପହଞ୍ଚି ଅନେକ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ଅକାଳ ବିୟୋଗରେ ବିଶାଖାପାଟଣା ଗ୍ରସ୍ତରେ ଥିବା ଗଞ୍ଜାମ ଜିଲ୍ଲା (ପଶ୍ଚିମ) ସଭାପତି ବି.ଦଣ୍ଡପାଣି ପାତ୍ର ଗଭୀର ଶୋକ ବ୍ୟକ୍ତି କରି ଥିବା ବେଳେ କଂଗ୍ରେସ ଜିଲ୍ଲା ଉପସଭାପତି ଡ଼ି.ବ୍ରଜେନ୍ଦ୍ର କୁମାର ବିନ୍ଧାଣିରା, ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ଦେବୀ ପ୍ରସାଦ ବିଷୋୟୀ, ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ପୂର୍ବତନ କାଉନସିଲର ଚିନଂ.ଲିଙ୍ଗରାଜ ପାତ୍ର, କାଉନସିଲର ଦିଲ୍ଲୀପ କୁମାର ଆଚାରୀ, ପୂର୍ବତନ କଂଗ୍ରେସ ସମ୍ପାଦକ ଏ.ତ୍ରିପତି ପାତ୍ର, ମିଡ଼ିଆ କ୍ଲବ ସଭାପତି ଏଲ.ସତୀଶ ରେଡ୍ଡୀ, ଗୋଷ୍ଠି ସଙ୍ଗଠକ ଏଲ.ସଂଜୀବ ରେଡ୍ଡୀ ,ବିଜୟ ଡାକୁଆ ସନ୍ତୋଷ ସାହୁ ଓଁ ଶାନ୍ତି ନଗର ପ୍ରଭୁସ୍ମୃତି ଭବନ ମୁଖ୍ୟ ପରିଚାଳିକା ବ୍ରହ୍ମ କୁମାରୀ ରାଜେଶ୍ୱରୀ ଭଉଣୀ ଓ ଅନ୍ୟ ମାନେ, ବ୍ରହ୍ମ କୁମାର ରବି ଭାଇ, ବ୍ରହ୍ମ କୁମାର ବିଷ୍ଣୁ ଭଉଣୀ ଓ ଅନ୍ୟାନ୍ୟ ଭାଇ ଭଉଣୀ ଦିବଙ୍ଗତଙ୍କ ଶେଷ ଦର୍ଶନ କରିଥିଲେ । ଦିବଙ୍ଗତ ସନ୍ତୋଷଙ୍କ ଶେଷ ଶଯ୍ୟା ନିକଟରେ ଦୁଇ ଭଉଣୀ ସୁଜାତା ଓ ମମତାଙ୍କ ସହିତ ଅନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ସ୍ଥାନୀୟ ସ୍ମଶାନରେ ଦିବଙ୍ଗତଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିବା ବେଳେ ମଝିଆ ଭାଇ ବସନ୍ତ ଓରଫ ବୁଲୁ ମୁଖାଗ୍ନି ଦେଇଥିଲେ । ଦିବଙ୍ଗତଙ୍କ ମରଶରୀର ଉପରେ ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପରିବାର ତରଫରୁ ଈଶ୍ୱରୀୟ ପତାକା ପ୍ରଦାନ କରାଯାଇଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ସସମ୍ମାନେ ଦଳୀୟ ପତାକା ପ୍ରଦାନ କରାଯାଇଥିଲା ।