ଖରାରେ ପେଟ୍ରୋଲ ସଙ୍କଟ: ଚୌଦ୍ଵାର ପୋଲିସର ମାନବିକ ପଦକ୍ଷେପ, ଲୋକଙ୍କୁ ଥଣ୍ଡା ପାନୀୟ

ଚୌଦ୍ଵାର (ଶିବବ୍ରତ ଦାସ ): ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ପେଟ୍ରୋଲ ସଙ୍କଟ ଦୈନନ୍ଦିନ ଜୀବନକୁ ଅସ୍ଥିର କରିଦେଇଛି। ଅନେକ ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ, ଯେଉଁଥିରେ ସେବା ଚାଲୁ ରହିଛି ସେଠାରେ ଦେଖାଯାଉଛି ଅସହ୍ୟ ଭିଡ଼ ଓ ଲମ୍ବା ଧାଡ଼ି। ଡହଡହ ଖରାକୁ ଅଣଦେଖା କରି ବୃଦ୍ଧ, ମହିଳା, ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀମାନେ ଘଣ୍ଟାଘଣ୍ଟା ଧରି ପେଟ୍ରୋଲ ପାଇଁ ଅପେକ୍ଷାରେ ରହୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି କଠିନ ପରିସ୍ଥିତିରେ ଲୋକଙ୍କ ଅସୁବିଧାକୁ ବୁଝି ଚୌଦ୍ଵାର ପୋଲିସ ନେଇଛି ଏକ ସ୍ୱାଗତଯୋଗ୍ୟ ଓ ମାନବିକ ପଦକ୍ଷେପ। ଥାନା ଅଧିକାରୀ ରଜନୀକାନ୍ତ ଦାସଙ୍କ ନେତୃତ୍ୱରେ ଅଞ୍ଚଳର ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକଙ୍କୁ ଥଣ୍ଡା ପାନୀୟ—ଲସି ଓ ଟାଟା ଗ୍ଲୁକୋ—ବଣ୍ଟନ କରାଯାଇଥିଲା। ଏହି ସେବାକାର୍ଯ୍ୟରେ ଏସ.ଆଇ ସିଦ୍ଧାର୍ଥ ରଞ୍ଜନ ଜାଲି, ପବିତ୍ର ବେହେରା ଓ ଲୋକନାଥ ଦାସ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପୋଲିସଙ୍କ ଏହି ଉଦ୍ୟମ କେବଳ ତ୍ରୁଷ୍ଣା ଶାନ୍ତ କରିନଥିଲା, ବରଂ କ୍ଲାନ୍ତ ଲୋକମାନଙ୍କୁ ଦେଇଥିଲା ଆତ୍ମୀୟତା ଓ ସାନ୍ତ୍ୱନାର ସ୍ପର୍ଶ। ତାଙ୍କର ଏହି ସହଯୋଗ ଲୋକମାନଙ୍କ ମୁହଁରେ ହସ ଆଣିଦେଇଥିଲା। ଏଭଳି ସମୟରେ ଚୌଦ୍ଵାର ପୋଲିସର ଏହି ମାନବିକ ପଦକ୍ଷେପ ସାଧାରଣ ଲୋକଙ୍କ ମନରେ ପୋଲିସ ପ୍ରତି ଏକ ସକାରାତ୍ମକ ଛବି ସୃଷ୍ଟି କରିଛି।