
କୋରାପୁଟ ୨୩/୦୫ (ପ୍ରଭାତ କୁମାର ସୁତାର, ଓଡିଶା ଟୁଡ଼େ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ଶ୍ରୀ ବି. ପରମେଶ୍ୱରନ ଆଜି କୋରାପୁଟ ବ୍ଲକ ଅନ୍ତର୍ଗତ ମେଣ୍ଢାଗୁଡ଼ା ଓ ପଡେଇଗୁଡ଼ା ଆଦିବାସୀ ଗ୍ରାମ ଗସ୍ତ କରି ସରକାରୀ ସୁବିଧା ଓ ଜୀବିକା କାର୍ଯ୍ୟକ୍ରମର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଶ୍ରୀ ପରମେଶ୍ୱରନ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ଶିକ୍ଷା, କୃଷି ପାଇଁ ଜଳସେଚନ, ପାନୀୟ ଜଳ, ଋତୁକାଳୀନ ଫସଲ ଓ ଜୀବିକାର ଉପଲବ୍ଧତା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଋଣ, ପୁଞ୍ଜି ନିବେଶ ଓ ଆୟ, ଏବଂ କ୍ଲଷ୍ଟର ସ୍ତରରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନର କାର୍ଯ୍ୟାନ୍ୱୟନ ତଥା କୃଷି ଓ କ୍ଷୁଦ୍ର ଉଦ୍ୟୋଗରୁ ମିଳୁଥିବା ଫଳାଫଳର ସମୀକ୍ଷା କରିଥିଲେ। ସେ ନିକଟସ୍ଥ ଗ୍ରାମ ଓ ଜିଲ୍ଲା ସଦରରେ ଉତ୍ପାଦିତ ସାମଗ୍ରୀ ପାଇଁ ଉପଲବ୍ଧ ବଜାର ସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଗସ୍ତ ଅବସରରେ କମିଶନର-ତଥା-ସଚିବ ମେଣ୍ଢାଗୁଡ଼ା କ୍ଲଷ୍ଟରରେ ଯୁବ ଲକ୍ଷ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ରତିରାମ ପୂଜାରୀଙ୍କ କମ୍ପ୍ୟୁଟର ୟୁନିଟ ପରିଦର୍ଶନ କରିଥିଲେ। ଆଦିବାସୀ ଯୁବକମାନେ ସୂଚନା ପ୍ରଯୁକ୍ତି ମାଧ୍ୟମରେ କିପରି ଆତ୍ମନିର୍ଭରଶୀଳ ହେଉଛନ୍ତି, ତାହା ସେ ଅନୁଧ୍ୟାନ କରିଥିଲେ। ଶ୍ରୀ ପରମେଶ୍ୱରନ କହିଥିଲେ ଯେ, “ସରକାରଙ୍କ ସମସ୍ତ ଯୋଜନା ଶେଷ ବ୍ୟକ୍ତି ପାଖରେ ପହଞ୍ଚିବା ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଅଞ୍ଚଳରେ ଜୀବିକାର ସ୍ଥାୟୀ ବିକଳ୍ପ ସୃଷ୍ଟି କରାଯିବ।” ଏହି ଗସ୍ତ ସମୟରେ ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟ; ଜିଲ୍ଲା ମଙ୍ଗଳ ଅଧିକାରୀ, କୋରାପୁଟ; ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ, ପ୍ରକଳ୍ପ ପରିଚାଳକ; ବିଷୟବସ୍ତୁ ବିଶେଷଜ୍ଞ (କୃଷି); ବିଷୟବସ୍ତୁ ବିଶେଷଜ୍ଞ (କ୍ଷୁଦ୍ର ଉଦ୍ୟୋଗ ଓ ସଂସ୍ଥାଗତ ନିର୍ମାଣ) ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟ; ସରପଞ୍ଚ, ୱାର୍ଡ ସଭ୍ୟଗଣ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ଗ୍ରାମ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ, କୋରାପୁଟ ପ୍ରମୁଖ ଉପସ୍ଥିତ ଥିଲେ।