
ପୁରୀ ୨୩/୫ (ବଳରାମ ତ୍ରିପାଠି ରିପୋର୍ଟ): ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ପାଞ୍ଚ ଦଣ୍ଡା ଚଉପଟ ପାଇଁ ବାହାର ରଥ ଖଳାରେ କାଠ ସାଇତା ଶେଷ ହୋଇଛି । ତିନି ରଥର ପ୍ରଥମ ପର୍ଯ୍ୟାୟ ଚକ ନିର୍ମାଣ କାର୍ଯ୍ୟ ପରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟରେ ଅଖ ନିର୍ମାଣ କାର୍ଯ୍ୟ । ଏହାପରେ ଆରମ୍ଭ ହେବ ତିନିର ଥର “ପଞ୍ଚ ଦଣ୍ଡା” ନିର୍ମାଣ କାର୍ଯ୍ୟ । ଦଣ୍ଡା ନିର୍ମାଣ ଶେଷ ପରେ, ତୃତୀୟ ପର୍ଯ୍ୟାୟର ଚକ ଅଖ ଥାକ ଏବଂ ଦିଗ ନିର୍ଣ୍ଣୟ ହୋଇ ଚକ ଅଖକୁ ଉଠିବ ପାଞ୍ଚ ଦଣ୍ଡା ।ତିନି ରଥର ମହାରଣା, ଭୋଇ ସେବକମାନଙ୍କ ମିଳିତ ସହଯୋଗରେ ପାଞ୍ଚ ଦଣ୍ଡା ନିର୍ମାଣ ପାଇଁ ବାହାର ରଥ ଖଳାରେ ସାଇତା ଯାଇଛି ୪୦ ଫୁଟିଆ ଦଣ୍ଡା କାଠ । ଏହି ଦଣ୍ଡା ସାଇତା କାର୍ଯ୍ୟ ତିନି ରଥର ମୁଖ୍ୟ ମହାରଣାଙ୍କ ତଦାରଖ କ୍ରମେ ସମ୍ପନ୍ନ ହୋଇଛି । ଦର୍ପଦଳନ ରଥର ପାଞ୍ଚ ଦଣ୍ଡା ସହ ଦୁଇ ପାର୍ଶ୍ୱର ଗୋଟିଏ ଗୋଟିଏ ଦଣ୍ଡାକୁ ମିଶାଇ ମୋଟ ୭ଟି ଦଣ୍ଡା ଲାଗୁଥିବା ବେଳେ, ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡା ସହ ଦୁଇଟି ଲେଖାଏଁ ପାର୍ଶ୍ୱ ଦଣ୍ଡାକୁ ମିଶାଇ ମୋଟ ୯ଟି ଲେଖାଏଁ ଦଣ୍ଡା ସଂଯୋଗ ହୋଇ ଫ୍ରେମ୍ ପ୍ରସ୍ତୁତ ହେବ ।ତିନି ରଥର ୧୨ଟି ଲେଖାଏଁ ଭୂଇଁ ଚଉତାର ବିନ୍ଧ କାର୍ଯ୍ୟ ଜାରି ରହିଛି । ଭୂଇଁ ଚଉତା ଗୁଡ଼ିକର ଗୋଟିଏ ଗୋଟିଏ ପାର୍ଶ୍ୱରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଆଜି ଠାରୁ ଅପର ପାର୍ଶ୍ୱରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତି ଭୂଇଁ ଚଉତାରେ ଚାରୋଟି ଲେଖାଏଁ ପାଖୁଡ଼ା ବିନ୍ଧ ସହ ଦୁଇଟି ଲେଖାଏଁ ଖମ୍ବୀ, ଏହି ପରି ୧୨ଟି ଲେଖାଏଁ ଭୂଇଁ ଚଉତାରେ ୭୨ ବିନ୍ଧ କାର୍ଯ୍ୟ ହେଉଅଛି । ସେହିପରି ତିନି ରଥର ଦୁଇଟି ଲେଖାଏଁ ଗରଗାରା ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାସହ ତିନି ରଥର ନାହାକା,ପଡ଼ି ନାହାକା, ବଡ଼ ଉଛୁଳା ଏବଂ ସାନ ଉଚ୍ଛୁଳା ଅଖର ନିର୍ମାଣ କାର୍ଯ୍ୟ ମହାରଣା ସେବକମାନେ ଜାରି ରଖିଛନ୍ତିରୂପକାର ସେବକମାନେ ଜାରି ରଖିଛନ୍ତି ତିନି ରଥର ସାଲ ଗୁଜ ଏବଂ ତୀଖ ଗୁଜରେ ସିଂହ ବିରଳ ରୂପ ଖୋଦେଇ ସହ ରୂପ ପଲିସ୍ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ । କରତି ସେବକମାନେ ତାଳଧ୍ଵଜ ରଥର ୪୦ ଫୁଟିଆ “ପୋଲ ଗୟଳ” କାଠର ଉଭୟ ପାର୍ଶ୍ୱରେ ଚିତା କାର୍ଯ୍ୟ ବା ସମତଳ କାର୍ଯ୍ୟ ଶେଷ କରି, ପୋଲ ଗୟଳର ଚିରଟ ପାଇଁ ଭାରା ବନ୍ଧା କାର୍ଯ୍ୟ ଶେଷ କରିଛନ୍ତି । ଆଜି ତାଳଧ୍ଵଜ ରଥ ପୋଲ ଗୟଳର ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ସହ ପିତଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।ସେପଟେ ପାହି ମହାରଣାମାନେ ଦୋଳ ବେଦୀ ଠାରେ ଅଣସର ତଥା ରଥଯାତ୍ରାରେ ସେବାନୀତି ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ କରୁଛନ୍ତି । ଏଥିରେ ଶ୍ରୀମନ୍ଦିର ମହାରଣା କର୍ମଚାରୀ ଶ୍ରୀବସନ୍ତ ମହାରଣାଙ୍କ ତତ୍ତ୍ଵାବଧାନରେ ଉକ୍ତ ସରଞ୍ଜାମ ପ୍ରସ୍ତୁତ ଚାଲିଛି । ଅଣସର ନୀତି ପାଇଁ ସୁଧ ସୁଆରଙ୍କ ନିମନ୍ତେ ୪ଟି ବଡ଼ ପିଢ଼ା ଏବଂ ସେବା ନୀତି ପାଇଁ ସାମନ୍ତ ପୂଜାପଣ୍ଡାଙ୍କ ନିମନ୍ତେ କୁରୁମ୍ ପିଢ଼ା ୪ଟି ନିର୍ମାଣ ସହ ଫୁଲ ଚାଙ୍ଗଡ଼ା ଫ୍ରେମ୍ ପ୍ରସ୍ତୁତ କରୁଛନ୍ତି ।