ଦଦରାଲୁଣ୍ଡା ଗ୍ରାମ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର, ୨୪/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ଦଦରାଲୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସାଧାରଣ ଲୋକଙ୍କୁ ଆଇନ ସମ୍ପର୍କିତ ବିଭିନ୍ନ ସୁବିଧା ଓ ସଚେତନତା ବିଷୟରେ ଅବଗତ କରାଇଥିଲେ ।

କାର୍ଯ୍ୟକ୍ରମରେ ଉପଖଣ୍ଡ ସ୍ତରୀୟ ପୁଲିସ ଅଧିକାରୀ ଡ. ଦୀପକ କୁମାର ମିଶ୍ର ଯୋଗଦେଇ ମହିଳା ଓ ଶିଶୁ ସୁରକ୍ଷା, ଡି.ଭି. ଆକ୍ଟ, ପୋକ୍ସୋ ଆଇନ ଏବଂ ସାମାଜିକ ଅପରାଧ ବିରୋଧୀ ସଚେତନତା ବିଷୟରେ ମତବ୍ୟକ୍ତ କରିଥିଲେ ।

ତାଲୁକ ଆଇନ ସେବା କମିଟିର ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଏବଂ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ଲୋକ ଅଦାଲତ, ନିଶୁଳ୍କ ଆଇନ ସହାୟତା ଓ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଅଳକା ମଞ୍ଜରୀ ପଟ୍ଟନାୟକ ସଭା ଆରମ୍ଭ କରିଥିଲେ ।

ଶେଷରେ ଦଦରାଲୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ସ୍ରିନିବାସ ବେହେରା ବିଦାୟ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ମହିଳା, ଯୁବକ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।