
ଚୌଦ୍ୱାର (ଶିବବ୍ରତ ଦାସ ): ସ୍ଥାନୀୟ ପ୍ରଶାସନ ଓ ଅବକାରୀ ବିଭାଗର ନିୟମକୁ ବେଖାତିର କରି ଏକ ନିର୍ଦ୍ଦିଷ୍ଟ ୱାର୍ଡ ପାଇଁ ଅନୁମତି ପାଇଥିବା ମଦ ଦୋକାନକୁ ଅନ୍ୟ ଏକ ୱାର୍ଡରେ ବେଆଇନ ଭାବେ ଖୋଲା ଯାଇଥିବା ଅଭିଯୋଗ ସାମାଜିକ ଗଣ ମାଧ୍ୟମରେ ଜଣେ ମହିଳା ସମାଜସେବୀ କରିଛନ୍ତି.। ଏହି ଅଭିଯୋଗର ସତ୍ୟାସତ୍ୟ ତଦନ୍ତ ସାପେକ୍ଷ ଅଟେ.ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି ।ମିଳିଥିବା ସୂଚନା ଅନୁଯାୟୀ ୧୬ କିମ୍ବା ୧୭ ନମ୍ବର ୱାର୍ଡରେ ସରକାରୀ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ସରକାରୀ ନିୟମାନୁସାରେ ଏହି ମଦ ଦୋକାନର ଲାଇସେନ୍ସ ମିଳିଥିଲା । କିନ୍ତୁ ନିୟମ ଉଲ୍ଲଂଘନ କରି ଦୋକାନଟିକୁ ୯ ନମ୍ବର ୱାର୍ଡ ପୁଣି ଜାତୀୟ ରାଜପଥରୁ ଦଶ ମିଟର ରେ ଖୋଲାଯାଇଛି । ଏହି ନୂତନ ସ୍ଥାନଟି ଜନବସତି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏବଂ ଏହାର ଆଖପାଖରେ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଥିବାରୁ ସ୍ଥାନୀୟ ବାସିନ୍ଦା, ବିଶେଷ କରି ମହିଳା ଓ ଛାତ୍ରଛାତ୍ରୀମାନେ ଅସୁରକ୍ଷିତ ମଣୁଛନ୍ତି ।କେଉଁ ପରିସ୍ଥିତିରେ ଏବଂ କାହା ସ୍ୱାର୍ଥରେ ଅବକାରୀ ବିଭାଗ ଏହି ବେଆଇନ ସ୍ଥାନାନ୍ତରକୁ ଅନୁମତି ଦେଲା କିମ୍ବା ଚୁପ୍ ରହିଲା, ସେ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ଅଞ୍ଚଳବାସୀ ଏହି ବେଆଇନ ମଦ ଦୋକାନକୁ ତୁରନ୍ତ ସେଠାରୁ ହଟାଇବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଯଦି ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ଜନଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି ।