
ଭଞ୍ଜନଗର ୨୫/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲାର ଭଞ୍ଜନଗର ପୋଲିସ ଚଳିତ ବର୍ଷ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍ ମଧ୍ୟରୁ ମୋଟ ୧୫୦ଟି ଫୋନ୍ ଜବତ କରି ସୋମବାର ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିଛି।
ପୂର୍ବରୁ ଆୟୋଜିତ ମୋବାଇଲ୍ ଫୋନ୍ ମେଳାରେ ୧୧୫ଟି ମୋବାଇଲ୍ ପୋଲିସ ଜବତ କରି ପ୍ରଦାନ କରିଥିଲେ। ସୋମବାର ଆଉ ୩୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇ ପ୍ରକୃତ ମାଲିକମାନଙ୍କୁ ଫେରାଇ ଦିଆଯାଇଛି।
ନୂତନ ବୈଷୟିକ ଜ୍ଞାନକୌଶଳ ଓ ସାଇବର୍ ପ୍ରଯୁକ୍ତିର ସହାୟତାରେ ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍ ଫେରିପାଇବାରେ ପୋଲିସ ସଫଳ ହେଉଛି। ଏହାର ଫଳରେ ଲୋକମାନଙ୍କ ମୁହଁରେ ହସ ଫୁଟିଉଠିଛି ଓ ପୋଲିସର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି।
ସୋମବାର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଏସପି ରଞ୍ଜନ କୁମାର ଦେ ମୋବାଇଲ୍ ଫୋନ୍ କିପରି ଉଦ୍ଧାର କରାଗଲା ସେଥିପାଇଁ ବିସ୍ତାରିତ ତଥ୍ୟ ଦେଇଥିଲେ। ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ, ସାଇବର୍ ସେଲ୍ର ସହଯୋଗ ଓ ଭଞ୍ଜନଗର ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁ ଲୋକମାନଙ୍କୁ ଶୀଘ୍ର ନ୍ୟାୟ ମିଳିପାରିଛି ବୋଲି ସେ କହିଛନ୍ତି।
ଏହି ସମ୍ମିଳନୀରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ଲକ୍ଷ୍ମୀଧର ମହାନ୍ତି, ଜ୍ୟୋତ୍ସ୍ନାମୟୀ ସାହୁ ଓ ଏଏସଆଇ ବିଦେଶୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ଜଣେ ଯୁବକଙ୍କ ୧୬ ମାସ ପୂର୍ବରୁ ହଜିଯାଇଥିବା ଆଇଫୋନ୍କୁ ମଧ୍ୟ ପୋଲିସ ଉଦ୍ଧାର କରି ତାଙ୍କୁ ହସ୍ତାନ୍ତର କରିଛି।