ଗଞ୍ଜାମରେ ଲାଗୁ ହେଲା ଧାରା-୩୦, ମେ ୧୮ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଳବତ୍ତର; ବିନାନୁମତିରେ ସଭା ସମିତି ନିଶେଦ୍ଧ

ଗଞ୍ଜାମ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର / ମନାନ୍ତର ଲାଗିରହିଛି । ଏଭଳି ପରିସ୍ଥିତିର ସୁଯୋଗ ନେଇ ସ୍ଥାନୀୟ ଅସାମାଜିକ ତତ୍ତ୍ୱମାନେ ରାଜନୈତିକ ସଭା, ଶୋଭାଯାତ୍ରା ଇତ୍ୟାଦିର ଆବରଣରେ ତାଙ୍କର ଅପରାଧିକ ଓ ଅସାମାଜିକ କାର୍ଯ୍ୟକଳାପକୁ ଆଗେଇ ନେବା ପାଇଁ ବହୁ ସଂଖ୍ୟାରେ ଦଳଗୁଡ଼ିକରେ ଯୋଗ ଦେଉଛନ୍ତି । ଏହିମାନଙ୍କ ଯୋଗଦାନ ରାଜନୈତିକ ଦଳମାନଙ୍କ ଦ୍ୱାରା ଆୟୋଜିତ ସାର୍ବଜନୀନ ସଭା ଓ ଶୋଭାଯାତ୍ରାମାନଙ୍କରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ଗୁରୁତର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ଶ୍ରୀ ଭି. କୀର୍ତ୍ତି ଭାସନ୍, ଭା.ପ୍ର.ସେ., ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମଙ୍କ ବିଚାରରେ ଏପରି ସଭା ଓ ଶୋଭାଯାତ୍ରାମାନଙ୍କୁ ନିୟନ୍ତ୍ରଣ କରାନଗଲେ ଗୁରୁତର ଶାନ୍ତି ଭଙ୍ଗ ହେବାର ସମ୍ଭାବନା ରହିଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏହି ଆଶଙ୍କାଙ୍କୁ ପାଥେୟ କରି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଭା.ପୋ.ସେ, ଆରକ୍ଷୀ ଅଧିକ୍ଷକ, ଗଞ୍ଜାମ, ପୋଲିସ ଆଇନ-୧୯୬୧ର ଧାରା-୩୦ ଗଞ୍ଜାମ ଜିଲ୍ଲାରେ ୧୮.୦୫.୨୦୨୬ ରୁ ୧୫.୦୮.୨୦୨୬ ତାରିଖ ପର୍ଯ୍ୟନ୍ତ (ଉଭୟ ଦିନ ଅନ୍ତର୍ଭୁକ୍ତ) ଜାରି କରିଛନ୍ତି । ଏହା ଅନୁସାରେ ଗଞ୍ଜାମ ପୋଲିସ୍ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ କୌଣସି ସଭା, ଶୋଭାଯାତ୍ରା କିମ୍ବା ସମାବେଶ ଆୟୋଜନ ପାଇଁ ସମ୍ପୃକ୍ତ ଏସ୍‌ଡିପିଓ ଯଥା ଏସ୍‌ଡିପିଓ ଛତ୍ରପୁର, ପୁରୁଷୋତ୍ତମପୁର, ଆସ୍କା ଓ ଭଞ୍ଜନଗର / ଜିଲ୍ଲାର ସମସ୍ତ ଥାନାର ଆଇଆଇସିଙ୍କ ନିକଟରେ ଅନୁମତି ପାଇଁ ଆବେଦନ କରିବାକୁ ପଡିବ ।

ଏପରି ଆବେଦନରେ ସଭା କେବେ ଓ କେଉଁ ସ୍ଥାନରେ ଆୟୋଜିତ ହେବ, ସଭା କିମ୍ବା ସମାବେଶର ଉଦ୍ଦେଶ୍ୟ କ’ଣ ଏବଂ ପ୍ରସ୍ତାବିତ ବକ୍ତାମାନଙ୍କର ନାମ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ପଡିବ ।

ଶୋଭାଯାତ୍ରା ସମ୍ବନ୍ଧୀୟ ଆବେଦନରେ ରୁଟ୍‌, ବିରାମ ସ୍ଥଳ, ଶୋଭାଯାତ୍ରାରେ ଯୋଗଦେବାକୁ ଥିବା ଲୋକଙ୍କ ଆନୁମାନିକ ସଂଖ୍ୟା, ସଙ୍ଗୀତ ବଜାଇବାକୁ ଥିଲେ ସଙ୍ଗୀତଜ୍ଞଙ୍କ ସଂଖ୍ୟା ଓ ସଙ୍ଗୀତର ପ୍ରକାର, ମୋଟର ଗାଡ଼ିର ସଂଖ୍ୟା, ହାତୀ, ଘୋଡ଼ା ପରି ପଶୁ କିମ୍ବା ପାରମ୍ପରିକ ଅସ୍ତ୍ର ବ୍ୟବହାର କରିବାକୁ ଥିଲେ ସେମାନଙ୍କର ସଂଖ୍ୟା ପ୍ରାଞ୍ଜଳ ଭାବରେ ଆବେଦନ ପତ୍ରରେ ଉଲ୍ଲେଖ କରିବାକୁ ପଡିବ ।

ପୋଲିସ ଆଇନର ଧାରା-୩୦ ଅନୁଯାୟୀ ଅନୁମତି ପ୍ରଦାନ ପୂର୍ବରୁ ସମ୍ପୃକ୍ତ କମିଟି / ଆୟୋଜକମାନଙ୍କୁ ତାଙ୍କର ଦାୟିତ୍ୱ ସମ୍ବନ୍ଧରେ ଜଣାଇଦିଆଯିବ ଏବଂ ତାଙ୍କ ଉପରେ ସର୍ତ୍ତାବଳୀ ଲାଗୁ କରାଯିବ ।

ଆବେଦନରେ ଆତଶବାଜି ପ୍ରଦର୍ଶନ କରାଯିବାକୁ ଥିଲେ ତାହାର ପ୍ରକାର, ସମୟ ଓ ସ୍ଥାନ ମଧ୍ୟ ଉଲ୍ଲେଖ କରିବାକୁ ପଡିବ ।

ପ୍ରତ୍ୟେକ ଆବେଦନ ସଭା, ଶୋଭାଯାତ୍ରା କିମ୍ବା ସମାବେଶ ଆୟୋଜନ ପୂର୍ବରୁ ଅତି କମରେ ୭୨ ଘଣ୍ଟା ପୂର୍ବରୁ ଅନୁମତି ପ୍ରଦାନ କରିବାକୁ ସକ୍ଷମ ପୋଲିସ୍ ଅଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ।

ଏହି ଆଦେଶ ୧୮.୦୫.୨୦୨୬ ରୁ ୧୫.୦୮.୨୦୨୬ ପର୍ଯ୍ୟନ୍ତ (ଉଭୟ ଦିନ ଅନ୍ତର୍ଭୁକ୍ତ) ନବେ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ।