
ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଡବଲ ଏନକାଉଣ୍ଟର । ୧୦ ଦିନରେ ୫ ଏନକାଉଣ୍ଟର। ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ମାମଲାରେ ଫେରାର ଅଭିଯୁକ୍ତ ରଞ୍ଜନ ଓ ସରୋଜକୁ ଏନକାଉଣ୍ଟର କଲା ପୋଲିସ । ବରଗଡ଼ ଥାନା ନୂଆ ଗାଁ ର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳି ଥାନା ସିକିରୀ ଗାଁ ପାଢ଼ୀ ସାହିର ସରୋଜ ପଣ୍ଡା ଓରଫ ଭିକିକୁ ପୋଲିସ ଏନକାଉଣ୍ଟର କରିଛି । ସରୋଜର ବାମ ଗୋଡ଼ରେ ଓ ରଞ୍ଜନର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁକେଶ ସାହୁ, ସୁମିତ ସିଂ, ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାଙ୍କୁ ବ୍ରହ୍ମପୁରର ସ୍ୱତନ୍ତ୍ର ପୋଲିସ ଟିମ୍ ରାଜସ୍ଥାନର ଭିଲୁଆଡାରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଥିବା ବେଳେ ବ୍ରହ୍ମପୁର ସହର ଉପକଣ୍ଠ ରତ୍ନପୁର ଠାରେ ରଞ୍ଜନ ଓ ସରୋଜ ପରିସ୍ରା କରିବାକୁ ଓହ୍ଲାଇ ଥିଲେ ।ଏହି ସମୟରେ ଜଣେ ପୋଲିସ କର୍ମଚାରୀଙ୍କ ପିସ୍ତଲ ନେଇ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହେବାକୁ ଚେଷ୍ଟା କରିଥିଲେ ରଞ୍ଜନ ଓ ସରୋଜ । ଏହା ପରେ ପୋଲିସ ନିଜର ସୁରକ୍ଷା ପାଇଁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲା । ପୂର୍ବରୁ ଭିନ୍ନ ଭିନ୍ନ ମାମଲାରେ ମୁକେଶ ସାହୁ ,ଦିପୁନା ନାୟକ ଓ ଜଗନ୍ନାଥ ସାହୁ ଆଦି ୩ ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରିଥିବା ବେଳେ ଆଜି ଆଉ ଦୁଇ ଅଭିଯୁକ୍ତ ତଥା ସୁପାରି କିଲରଙ୍କୁ ଗୁଳି କରିଛି ପୋଲିସ । ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ଗାଁର ସୁଧୀର ପାତ୍ରଙ୍କୁ ଗତ ୧୫ ତାରିଖ ସନ୍ଧ୍ୟାରେ ଦୁର୍ବୁତ୍ତ ମାନେ ଅପହରଣ କରିନେଇଥିଲେ । ଏପ୍ରିଲ ୨୨ ତାରିଖରେ ବୁଗୁଡ଼ା ଜଙ୍ଗଲ ଭିତରୁ ତାଙ୍କର ମୃତଦେହ ମିଳିଥିଲା ।