ମହାପ୍ରସାଦ ଜବତ କଲା ଶ୍ରୀମନ୍ଦିର ପ୍ରଶାସନ; ସ୍ଵତ୍ତ୍ଵଲିପି ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ

ପୁରୀ, ୨୯/୫ (ବଳରାମ ତ୍ରିପାଠି ରିପୋର୍ଟ): ଶ୍ରୀମନ୍ଦିରରୁ ମହାପ୍ରସାଦ ଜବତ । ଶ୍ରୀମନ୍ଦିର ପ୍ରଶାସନ ଜବତ କରିଛି ମହାପ୍ରସାଦ । ସକାଳ ଧୂପ ସମୟରେ ନିୟମ ଠାରୁ ଅଧିକ ମହାପ୍ରସାଦ ପ୍ରସ୍ତୁତ କରିଥିବା ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ତେବେ ଜବତ ହୋଇଥିବା ମହାପ୍ରସାଦକୁ ସମ୍ପୃକ୍ତ ପ୍ରସ୍ତୁତକାରୀ ତଥା ମହାସୁଆର ସେବକଙ୍କୁ ଦିଆଯାଇନାହିଁ । ଜବତ ହୋଇଥିବା ମହାପ୍ରସାଦକୁ ଶ୍ରୀମନ୍ଦିର ପ୍ରଶାସନ ବାଳାଶ୍ରମକୁ ପଠାଇ ଦେଇଛି । ଅନ୍ନ, ଖେଚେଡ଼ି, କାନିକା ଓ ଡାଲେମାକୁ ଜବତ କରାଯାଇ ବାଳାଶ୍ରମକୁ ପଠାଯାଇଛି ।ସେପଟେ ଏ ନେଇ ସୁଆର ମହାସୁଆର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ସକାଳ ଧୂପ ସମୟରେ କେତେ ଅଭଡ଼ା ଲାଗିବ ସେ ସମ୍ପର୍କରେ ସ୍ଵତ୍ତ୍ଵଲିପିରେ ଉଲ୍ଲେଖ ରହିଛି । ସ୍ଵତ୍ତ୍ଵଲିପିର ନିୟମକୁ ଉଲ୍ଲଂଘନ କରାଯାଇ ଅଧିକ ମାତ୍ରାରେ ଅଭଡ଼ା ଭୋଗ ଲାଗି କରାଯାଇଥିବା ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିର କମାଣ୍ଡର ଏହାକୁ ଜବତ କରି ବାଳାଶ୍ରମକୁ ପଠାଇ ଦେଇଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଘଟଣା ଶ୍ରୀମନ୍ଦିରରେ ଘଟିଥିବା ନଜରକୁ ଆସିଛି ।