ନିମ୍ନମାନର କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ବିରୋଧ

ଚୌଦ୍ୱାର (ଶିବବ୍ରତ ଦାସ ): ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଉନ୍ନୟନ କାର୍ଯ୍ୟକୁ ନେଇ ପୁଣି ଉଠିଛି ପ୍ରଶ୍ନ। ହରିଅନ୍ତା ପଞ୍ଚାୟତର ମଙ୍ଗୁଳି ଗ୍ରାମରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପ୍ରାୟ ୪ ଲକ୍ଷ ଟଙ୍କାର ଏହି ପ୍ରକଳ୍ପରେ ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଗ୍ରାମବାସୀଙ୍କ ବିରୋଧ ପରେ ଏବେ ଏହି ପ୍ରସଙ୍ଗ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଟାଙ୍ଗୀ ଚୌଦ୍ୱାର ବ୍ଲକ ହରିଅନ୍ତା ପଞ୍ଚାୟତର ୧୫ ନମ୍ବର ୱାର୍ଡ ମଙ୍ଗୁଳି ଗ୍ରାମ। ଏଠାରେ ରାସ୍ତା ଓ ଡ୍ରେନ୍ ନିର୍ମାଣ ପାଇଁ ପ୍ରାୟ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ କାର୍ଯ୍ୟର ମାନକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ। ଗ୍ରାମବାସୀଙ୍କ ଅଭିଯୋଗ, ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟରେ କୌଣସି ସୂଚନା ଫଳକ ଲଗାଯାଇନଥିଲା ଏବଂ କାର୍ଯ୍ୟ ମଧ୍ୟ ନିର୍ଦ୍ଧାରିତ ମାନ ଅନୁଯାୟୀ ହେଉନଥିଲା। ସ୍ଥାନୀୟ ଲୋକଙ୍କ ବିରୋଧ ପରେ ତରବରିଆ ଭାବେ ସୂଚନା ଫଳକ ଲଗାଯାଇଥିବା ଅଭିଯୋଗ ହୋଇଛି। ଏପରିକି ପୂର୍ବରୁ କରାଯାଇଥିବା କାମକୁ ପୁଣି ଭାଙ୍ଗି ମରାମତି କରାଯାଉଥିବାରୁ କାର୍ଯ୍ୟର ସ୍ୱଚ୍ଛତା ଓ ଗୁଣବତ୍ତା ଉପରେ ସନ୍ଦେହ ବଢ଼ିଛି। ବ୍ୟବହୃତ ବାଲି ଓ ସିମେଣ୍ଟର ମିଶ୍ରଣକୁ ନେଇ ମଧ୍ୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ନିର୍ମାଣ କାର୍ଯ୍ୟରେ ଆବଶ୍ୟକ ମାନଦଣ୍ଡ ପାଳନ କରାଯାଇନଥିବାରୁ ନୂତନ ଢଳେଇ ମଧ୍ୟ ଦୁର୍ବଳ ଦେଖାଯାଉଛି। ସରକାର ଉନ୍ନୟନ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତୃଣମୂଳ ସ୍ତରରେ ଏଭଳି ଅଭିଯୋଗ ଉଠିବା ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ନିରପେକ୍ଷ ତଦନ୍ତ ଦାବି କରିଥିବା ବେଳେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏପଟେ ପ୍ରଶାସନିକ ଅଧିକାରୀଙ୍କ ନୀରବତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ଏହି ପ୍ରସଙ୍ଗରେ ସାଲେପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଆକ୍ୟୁବ ଖାଁ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି।ତେବେ ଗ୍ରାମବାସୀଙ୍କ ଅଭିଯୋଗ ନିର୍ମାଣ କାର୍ଯ୍ୟରେ ପ୍ରକୃତରେ ଅନିୟମିତତା ହୋଇଛି କି ନାହିଁ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। କିନ୍ତୁ ଉନ୍ନୟନ ନାମରେ ସରକାରୀ ଅର୍ଥର ସଠିକ୍ ବ୍ୟବହାର ହେଉଛି କି ନାହିଁ, ସେନେଇ ଏବେ ସାଧାରଣ ଲୋକଙ୍କ ନଜର ରହିଛି।