
ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର-କଟକ ରାଜନୀତିରେ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଦୀର୍ଘ ବର୍ଷ ଧରି ଜନସେବା ଓ ଲୋକକଲ୍ୟାଣମୂଳକ କାର୍ଯ୍ୟ ପାଇଁ ଏକ ପରିଚିତ ନାମ ଭାବେ ପରିଗଣିତ ହୋଇଆସୁଛନ୍ତି। ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ସାମିଲ ହେବା ଓ ସମସ୍ୟାର ସମାଧାନ ପାଇଁ ସଦାସର୍ବଦା ଆଗକୁ ଆସିବା ତାଙ୍କର ରାଜନୈତିକ ଜୀବନର ମୁଖ୍ୟ ବିଶେଷତା ରହିଛି। ଏହି ଜନସେବାର ଧାରାକୁ ଆଗକୁ ନେଇଛନ୍ତି ତାଙ୍କ ପୁଅ ସୌଭିକ ବିଶ୍ୱାଳ। ପିତାଙ୍କ ଆଦର୍ଶ ଓ ନୀତିକୁ ଅନୁସରଣ କରି ସୌଭିକ ମଧ୍ୟ ଅଞ୍ଚଳବାସୀଙ୍କ ସହ ନିରନ୍ତର ସମ୍ପର୍କ ରଖିବା ସହ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟରେ ସକ୍ରିୟ ଭାବେ ଜଡିତ ରହୁଛନ୍ତି। ଫଳରେ ଯୁବବର୍ଗ ଓ ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତା ଦିନକୁ ଦିନ ବୃଦ୍ଧି ପାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଭାତ ଓ ସୌଭିକ ଉଭୟେ ଦଳୀୟ ସୀମାରୁ ଉର୍ଦ୍ଧ୍ୱକୁ ଉଠି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସର୍ବଦା ପ୍ରୟାସ କରିଆସୁଛନ୍ତି। ଜନସାଧାରଣଙ୍କ ସହ ସିଧାସଳଖ ସମ୍ପର୍କ ଓ ସେବା ମନୋଭାବ ହିଁ ସେମାନଙ୍କ ଲୋକପ୍ରିୟତାର ମୂଳ କାରଣ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସମ୍ପ୍ରତି ପ୍ରଭାତ ବିଶ୍ୱାଳ ପ୍ରାତଃ ଭ୍ରମଣ ସମୟରେ ଚୌଦ୍ୱାର ପୌରାଞ୍ଚଳର ୨, ୧୪, ୧୭ ଓ ୧୮ ନମ୍ବର ୱାର୍ଡ ପରିଦର୍ଶନ କରିଥିଲେ। ଏହି ସମୟରେ ସ୍ଥାନୀୟ କାଉନସିଲର ଓ ବହୁ ସଂଖ୍ୟକ କର୍ମୀ ତାଙ୍କ ସହ ଉପସ୍ଥିତ ଥିଲେ। ୨ ନମ୍ବର ୱାର୍ଡର କାଉନସିଲର ଅସୁସ୍ଥ ଥିବାରୁ ତାଙ୍କ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଗସ୍ତ ସମୟରେ ପ୍ରଭାତ ବିଶ୍ୱାଳ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭାବ-ଅସୁବିଧା ବିଷୟରେ ଅବଗତ ହୋଇଥିଲେ। ତାଙ୍କ ପ୍ରତି ଲୋକଙ୍କ ଆକର୍ଷଣ ଓ ସମର୍ଥନ ଏହି ଗସ୍ତରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥିଲା। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, ପ୍ରଭାତ ବିଶ୍ୱାଳଙ୍କ ଦୀର୍ଘଦିନର ଜନସେବା ଓ ସୌଭିକ ବିଶ୍ୱାଳଙ୍କ ସକ୍ରିୟ ଜନସମ୍ପର୍କ ଆଗାମୀ ଦିନରେ ଚୌଦ୍ୱାର-କଟକ ରାଜନୀତିରେ ଏକ ଦୃଢ଼ ନେତୃତ୍ୱର ପରିଚୟ ସୃଷ୍ଟି କରିପାରେ। ଲୋକଙ୍କ ଭରସା ଓ ସମର୍ଥନ ହିଁ ସେମାନଙ୍କର ସବୁଠାରୁ ବଡ଼ ଶକ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।