ଭଞ୍ଜନଗରରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର ୦୯/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ, ଗଞ୍ଜାମ, ବ୍ରହ୍ମପୁର ଆନୁକୂଲ୍ୟ ରେ ଆଜି ଭଞ୍ଜନଗରସ୍ଥିତ ଆର୍.ଏମ୍.ସି. ସମ୍ମିଳନୀ କକ୍ଷରେ “ପ୍ରବାସୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଏବଂ ମୌଳିକ କର୍ତ୍ତବ୍ୟ” ବିଷୟ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ, ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗରର ସିନିୟର ସିଭିଲ ଜଜ ଶ୍ରୀ ଦେବାଶିଷ ବିଶୋଇ ଏବଂ ଏସ୍.ଡି.ଜେ.ଏମ୍. ଶ୍ରୀ ସୌମ୍ୟ ରଞ୍ଜନ ପୃଷ୍ଟି ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥିମାନେ ପ୍ରବାସୀ ଶ୍ରମିକମାନଙ୍କ ସାମାଜିକ, ଆର୍ଥିକ ଓ ଆଇନଗତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା, ନିଶୁଳ୍କ ଆଇନ ସହାୟତାର ସୁବିଧା ଏବଂ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ସେମାନେ ଆଇନ ପ୍ରତି ସଚେତନତା ବୃଦ୍ଧି ମାଧ୍ୟମରେ ସମାଜରେ ନ୍ୟାୟ ଓ ସମାନତା ପ୍ରତିଷ୍ଠା ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।
ଶେଷରେ ଆୟୋଜକ ପକ୍ଷରୁ ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।