ଶିଶୁ ଶ୍ରମିକ ବିଲୋପ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବିଶେଷ କାର୍ଯ୍ୟକ୍ରମ

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ଯାଜପୁର, ଜିଲ୍ଲାରେ ଶିଶୁ ଶ୍ରମିକ ବିଲୋପ ପାଇଁ ଶ୍ରମ ବିଭାଗ ପକ୍ଷରୁ ୧୫ ଦିନିଆ ବିଶେଷ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଉଦଘାଟନ କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର, ଯାଜପୁର ପ୍ରଭାଗୀୟ ଶ୍ରମ କମିଶନର ସତ୍ୟନାରାୟଣ ଆଚାର୍ଯ୍ୟ, ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର ସାହୁ ପ୍ରମୁଖ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ। ଏହି ରଥ ସମଗ୍ର ଜିଲ୍ଲା ବୁଲି ଶିଶୁ ଶ୍ରମିକ ନିୟୋଜନ ବିରୁଦ୍ଧରେ ସଚତେନତା ସୃଷ୍ଟି କରିବ ଏବଂ ଏହି ପ୍ରଥା ବିଲୋପ କରିବା ପାଇଁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରାଯିବ। ଏହାସହ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ରାଲିରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଦିବ୍ୟ ଭୂଷଣ ମହାନ୍ତି, ସମସ୍ତ ସହକାରୀ ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାଧାରଣ ଜନତା, ନିର୍ମାଣ ଶ୍ରମିକ, ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ। ଏହାସହ ଆଗକୁ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇ ଉକ୍ତ କମିଟି ସଦସ୍ୟଙ୍କ ମତାମତ ଅନୁସାରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ। ଶିଶୁ ଶ୍ରମିକ ନିୟୋଜିତ କରିଥିବା ବିଭିନ୍ନ ସଂସ୍ଥାମାନଙ୍କରେ ଚଢାଉ କରାଯାଇ ମାଲିକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଯେକୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ ଏପରି ଘଟଣା ଦୃଷ୍ଟିଗୋଚର ହେଲେ ତୁରନ୍ତ ଶ୍ରମ କାର୍ଯ୍ୟାଳୟ, ଥାନା କିମ୍ବା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ଜେନା, ସୁଶ୍ରୀ ସଙ୍ଗୀତା ସ୍ଵାଇଁ, ସୌମ୍ୟ ସୁନ୍ଦର ରାଉତରାୟ, ରଚନା ସେଠି, ଅଭିଜିତ ଜୟପ୍ରକାଶ ପ୍ରଧାନ, ଶତାବ୍ଦୀକା ନାୟକ, ଶତରୂପା ସାହୁ, ନୀଳିମା କୁମାରୀ ନାୟକ ଯୋଗ ଦେବା ସହିତ କର୍ମଚାରୀ ସତ୍ୟଜିତ ବାରିକ, ନାରାୟଣ ଚନ୍ଦ୍ର ନନ୍ଦ, ପ୍ରକାଶ କୁମାର ଜେନା, ପ୍ରସନ୍ନ କୁମାର ନାୟକ, ସନ୍ତୋଷ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।