ଗଞ୍ଜେଇ ସହ ଟ୍ରାଭେରା ଗାଡ଼ି ଜବତ, ଜଣେ ଗିରଫ

ସୋରଡା ୧୨/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଗୋପାଳପୁର ଗ୍ରାମ ନିକଟରୁ ଟ୍ରାଭେରା ଗାଡ଼ି ସହ ୬୬ କିଲୋ ଗଞ୍ଜେଇ କୁ ଧରିବା ସହ ଜଣଙ୍କୁ ଗିରଫ କରିଛି ବଡଗଡ ପୋଲିସ । ଗିରଫ ଜଣକ ହେଲେ ଗାଡ଼ିର ଡ୍ରାଇଭର ରାଜେନ୍ଦ୍ର ବେହେରା । ସୂଚନା ମୁତାବକ ଟ୍ରାଭେରା ଗାଡ଼ିରେ ଗଞ୍ଜେଇ ନେଇ ଗଜପତି ରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବଡଗଡ ଥାନା ଗୋପାଳପୁର ଗ୍ରାମ ନିକଟରେ ବଡଗଡ ପୋଲିସ ସବୁ ଗାଡ଼ି ଓ ବାଇକକୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ଟ୍ରାଭେରା ଗାଡ଼ିରୁ ଗଞ୍ଜେଇ ବାହାରିଥିଲା । ଏଥିରୁ ୬୬ କିଲୋ ଗଞ୍ଜେଇ ଜବତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ୍ୟ ୫୦ ହଜାର ରୁ ଉର୍ଦ୍ଧ ହେବ ଅନୁମାନ କରାଯାଉଛି । ଗଞ୍ଜେଇ ଜବତ ପରେ ବଡଗଡ ପୋଲିସ ସୂଚନା ଦେବାପରେ ସୋରଡା ଅତିରିକ୍ତ ତହସିଲଦାର ଦୀନବନ୍ଧୁ ପିଙ୍ଗୁଆ ଓ ଆସିକା ଏସଡିପିଓ ସୌରଭ ରଞ୍ଜନ ପ୍ରଧାନ ପହଞ୍ଚି ଗଞ୍ଜେଇ ଓଜନ କରାଯିବା ସହ ଘଟଣାର ତଦନ୍ତ କରୁଛନ୍ତି ।