ପ୍ରଶ୍ନବାଚୀରେ ଟାଙ୍ଗୀ ଚୌଦ୍ଵାର (ଆଇ.ସି.ଡି.ଏସ୍) କାର୍ଯ୍ୟଳୟ।

ଚୌଦ୍ଵାର (ଚୌଦ୍ୱାର ): ଲୋକଙ୍କ ସରକାର, ସୁଶାସନର ସ୍ଲୋଗାନ ଓ ଜବାବଦେହିତାର ବଡ଼ ବଡ଼ ଭାଷଣ ଭିତରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର (ଆଇ.ସି.ଡି.ଏସ୍) କାର୍ଯ୍ୟାଳୟ ଏବେ ଅନ୍ୟ ଏକ କାହାଣୀ କହୁଛି। ଅବସର ନାହିଁ କି ଦରମା ନାହିଁ! ଅଭିଯୋଗ ଅନୁସାରେ, ଜଣେ ସହାୟିକାଙ୍କ ୩୦ ମାସର ବକେୟା ଦରମା ଆଜି ପର୍ଯ୍ୟନ୍ତ ମିଳିନାହିଁ। ନିଜ ପରିଶ୍ରମର ପ୍ରାପ୍ୟ ଟଙ୍କା ପାଇବା ପାଇଁ ସେ ବାରମ୍ବାର (ଆଇ.ସି.ଡି.ଏସ୍) କାର୍ଯ୍ୟାଳୟକୁ ଦୌଡିଛନ୍ତି, ହେଲେ ସରକାରୀ ଚଉକି ରେ ବସିଥିବା କ୍ଲର୍କ ବିଶ୍ୱଜିତ୍ ଭୋଇଙ୍କ ନିଦ୍ରା ଭଙ୍ଗ ହେଉନାହିଁ। ଏହି କ୍ଲର୍କ ଜଣକ ଫାଇଲ୍‌କୁ ଏମିତି ଚାହୁଁଛନ୍ତି ଯେପରି ତାହା ଛୁଇଁଲେ ଦାୟିତ୍ୱ ବଢ଼ିଯିବ। ଖବର ପ୍ରସାରଣ ପରେ ମଧ୍ୟ ବିଶ୍ୱଜିତ୍ ଭୋଇଙ୍କ ଚେତନା ଜାଗ୍ରତ ହେଉନାହିଁ କି ପ୍ରଶାସନ ପ୍ରତି ଭୟ ନାହିଁ। ଏବେବି କୁମ୍ଭକର୍ଣ୍ଣଙ୍କ ଶିଷ୍ୟତ୍ୱ ଗ୍ରହଣ କରି ରହିଛନ୍ତି? ସହାୟିକାଙ୍କ ଅଭିଯୋଗ ଏବଂ ଗଣମାଧ୍ୟମର ଖବର ତାଙ୍କ ପାଇଁ କେବଳ କାଗଜର କଳା ଅକ୍ଷର ମାତ୍ର? ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସହାୟିକାଙ୍କ ଅବସର ପୂର୍ବରୁ ଆବଶ୍ୟକ ଚିଠି କାହିଁକି କରାଯାଇନଥିଲା? ନା ସହାୟିକାଙ୍କ ପ୍ରାପ୍ୟ ଦରମାକୁ ଲୁଟିବାକୁ ଯୋଜନା ଚଳାଇଥିଲେ କ୍ଲର୍କ ବିଶ୍ୱଜିତ୍ ଭୋଇ। ଦାୟିତ୍ୱରେ ଥିବା କ୍ଲର୍କ ବିଶ୍ୱଜିତ୍ ଭୋଇ କାହିଁକି ନିରବ ରହିଲେ? ଏହା କେବଳ ଅବହେଳା ନା ଏହା ପଛରେ ରହିଛି ଅନ୍ୟ କୌଣସି ଉଦ୍ଦେଶ୍ୟ?ସୁଶାସନର ସ୍ଲୋଗାନ କେବଳ ମଞ୍ଚ ପାଇଁ, ନା ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିବ? ସରକାରଙ୍କଠାରୁ ବେତନ ନେଇ ସରକାରୀ କାର୍ଯ୍ୟରେ ଅସାଧୁତା କରୁଥିବା ଅସାଧୁ କର୍ମଚାରୀଙ୍କ ଉପରେ ମୋହନ ସରକାରଙ୍କ ନଜର କେବେ ପଡ଼ିବ? ଏବେ ଦେଖିବାକୁ ବାକି ରହିଲା, ଲୋକଙ୍କ ସରକାରର ଦାବି କରୁଥିବା ମୋହନ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେବେ, ନା ବୃଦ୍ଧା ସହାୟିକାଙ୍କ ୩୦ ମାସର ବକେୟା ଦରମା ଭଳି ଏହି ପ୍ରଶ୍ନ ମଧ୍ୟ ଫାଇଲ୍‌ର ତଳେ ଚାପି ହୋଇ ରହିଯିବ।