ଭଞ୍ଜନଗରରେ ଶିବ ପାର୍ବତୀ ବିବାହ କାର୍ଯ୍ୟକ୍ରମ

ଭଞ୍ଜନଗର,୧୮/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ରଘୁନାଥ ମନ୍ଦିର ପରିସରରେ ଆଜି ଶିବ ପାର୍ବତୀ ବିବାହ ସମ୍ପନ୍ନ ହୋଇଛି। ମନ୍ଦିର ପାଖରୁ ଆଜି ଏକ ଆଧ୍ୟାତ୍ମିକ ପରିବେଶରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ କରାଯାଇଥିଲା। ସନ୍ଧ୍ୟାରେ ଦେବ ଦେବ ମହାଦେବ ଶିବଙ୍କୁ ଏକ ପାଲିଙ୍କିରେ ନଗର ପରିକ୍ରମା କରାଯାଇଥିଲା। ଘଣ୍ଟ ଘଣ୍ଟା ମୃଦଙ୍ଗ ବାଦ୍ୟର ଖାଲା ସାହି, ଆରସି ରୋଡ, ଷ୍ଟେଟ୍ ବ୍ୟାଙ୍କ ଛକ ଦେଇ କୋର୍ଟ ରୋଡ ବସଷ୍ଟାଣ୍ଡ ଅତିକ୍ରମ କରିବା ପରେ ମୁଖ୍ୟ ସଡ଼କ ଦେଇ ଲୋହରଖଣ୍ଡି ନଦୀ କୂଳରେ ସ୍ଥିତ ମନ୍ଦିର ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା।ଏହାପରେ ବନ୍ଦାପନା ବରଣ କରି ମନ୍ଦିର ଭିତରକୁ ଅଣାଯାଇଥିଲା। ସେଠାରେ ରୀତିନୀତି ଅନୁଯାୟୀ ଉଭୟ ଦେବାଦେବୀଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ମନ୍ଦିର ମୁଖ୍ୟ ପୁରୋହିତ ବୈଦିକ ପଣ୍ଡିତ ଉପେନ୍ଦ୍ର କୁମାର ମିଶ୍ର, ଜଗନ୍ନାଥ ପାଢ଼ୀ, ପ୍ରକାଶ ଚନ୍ଦ୍ର ପାଢ଼ୀ, ମାଧବ ମୁନି ପ୍ରମୁଖ ମହାଦେବ ଶିବ ଏବଂ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏଥି ସହ ଲଣ୍ଡେଇ ସାହି ସ୍ଥିତ ରାମ ମନ୍ଦିରରେ ରଘୁବୀର ସାଂସ୍କୃତିକ ପରିଷଦ ପକ୍ଷରୁ ମଧ୍ୟ ଶିବ ବିବାହ କାର୍ଯ୍ୟକ୍ରମ ଧୂମଧାମ ରେ ପାଳନ କରାଯାଉଥିବା ସଭାପତି ଅନୁପମ ବାନାର୍ଜୀ ସୂଚନା ଦେଇଛନ୍ତି।ଆସନ୍ତା କାଲି ଶୀତଳଷଷ୍ଠୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।