
ଯାଜପୁର, (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡିଶା ଟୁଡେ): ଗତକାଲି ଜରୁରୀକାଳୀନ ବିଭାଗ ପକ୍ଷରୁ ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥପୁର ବାତ୍ୟା ଆଶ୍ରୟସ୍ଥଳୀରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଜିଲ୍ଲାର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ମକଡ୍ରିଲ ଅନୁଷ୍ଠିତ ହୋଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପର୍ଯ୍ୟବେକ୍ଷକ ଜୟଜଗତ ସାହୁ ଯୋଗ ଦେଇ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ ମକଡ୍ରିଲ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ମୋଟ ୨୬ ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ପ୍ରାୟ ସମସ୍ତ ଆଶ୍ରୟସ୍ଥଳୀରେ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଶୋକ କୁମାର ବେହେରା କହିଛନ୍ତି। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଶୋକ କୁମାର ବେହେରା, ଡିପିଓ ମକଡ୍ରିଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲା ପଞ୍ଚାୟତ ଅଧିକାରୀ, ଅଗ୍ନିଶମ ଅଧିକାରୀ, ଓଡ଼୍ରାଫ୍ କର୍ମଚାରୀ, ସ୍ଥାନୀୟ ସରପଞ୍ଚ, ସ୍ୱେଚ୍ଛାସେବୀ, ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।