ଜମି ବିବାଦରୁ ସାଂଘାତିକ ହତ୍ୟା କାଣ୍ଡ: ପୁତୁରା ଓ ବୋହୂ ମିଶି ଖୁଡ଼ିକୁ ହତ୍ୟା କଲେ !

ଜଗନ୍ନାଥ ପ୍ରସାଦ ୨୧/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଜମିବାଡ଼ି ଭାଗବଣ୍ଟାକୁ ନେଇ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମି ବିବାଦକୁ କେନ୍ଦ୍ର କରି ପୁତୁରା ଏବଂ ତାଙ୍କ ବୋହୂ ମିଶି ଜଣେ ରେବତୀ ପ୍ରଧାନ (ଖୁଡ଼ି)ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ଏହି ସାଂଘାତିକ ସୂଚନା ପାଇବା ପରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି I ସୂଚନା ଅନୁଯାୟୀ, ଏକଘରିଆ ପଲ୍ଲୀ ଗ୍ରାମର ଏହି ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡ଼ି ଏବଂ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଏହି ବିଷୟକୁ ନେଇ ପ୍ରାୟତଃ ପାରିବାରିକ କଳହ ସୃଷ୍ଟି ହେଉଥିଲା। ରବିବାର ଏହି ଜମି ବିବାଦ ଉଗ୍ର ରୂପ ନେଇଥିଲା। ନାଳ କୁଳ ଘାଇ ତଳ କେନାଲ ରେ ଆଜି ସକାଳ ୯. ୩୦ ସମୟରେ ଜଙ୍ଗଲ ଗୁଡ଼ି ଗୋଟାଇବାକୁ ଆସିଥିବା ବେଳେ ଖୁଡି କୁ ଜୀବନ ରୁ ହଟାଇବା ନେଇ ପୂର୍ଵ ପ୍ରସ୍ତୁତି କରି ଆସିଥିବା ପତୁରା ଓ ବୋହୁ ରେବତୀ କୁ ଏକା ଦେଖି ପୁତୁରା ନିଜ ଗାମୁଛା ସାହାର୍ଯ୍ୟ ରେ ରେବତୀ ର ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତ ମହିଳାଙ୍କ ନାତି ବୀରେନ୍ଦ୍ର ଓ କୈଳାଶ ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଜମି ହଡ଼ପ କରିବା ଉଦ୍ଦେଶ୍ୟରେ ହିଁ ପୁତୁରା ଏବଂ ବୋହୂ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ପୋଲିସ ଏହି ଅଭିଯୋଗକୁ ଭିତ୍ତି କରି କେସ ନମ୍ବର ୨୪୪/୨୬ ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି | ଘଟଣା ଖବର ପାଇ ଉପଖଣ୍ଡ ଅଧିକାରୀ ଡ଼ଃ.ଦୀପକ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା,ଆଇ ଆଇ ସି ଅନିଲ କୁମାର ଦେବତା,ଏଏସଆଇ ଶ୍ରୀନିବାସ ପାଲକା ଏବଂ ଟିମ ଘଟଣା ସ୍ଥାନରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।