କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱର୍ଗତ ସ୍ୱରାଜ୍ୟ ଶିଶାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

କୋରାପୁଟ, ୨୫/୦୬/୨୬ (ପ୍ରଭାତ କୁମାର ସୁତାର, ଓଡିଶା ଟୁଡ଼େ): କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱର୍ଗତ ସ୍ୱରାଜ୍ୟ ଶିଶାଙ୍କ ପରଲୋକରେ ସମଗ୍ର ସୂଚନା ଓ ଲୋକସମ୍ପର୍କ ପରିବାର ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ପାର୍ଥିବ ଶରୀର ନିକଟରେ ଉପସ୍ଥିତ ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ତପନ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନରେଶଚନ୍ଦ୍ର ଶବର ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନ, ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ରାୟଗଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି, ଗଜପତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇ, ନବରଙ୍ଗପୁର ଉପଖଣ୍ଡ-ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟନାରାୟଣ ପ୍ରଧାନ, କୋରାପୁଟ ଉପଖଣ୍ଡ -ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ସରକାର ଏବଂ ଜୟପୁର ଉପଖଣ୍ଡ-ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା ଓ ସାମ୍ବାଦିକ ବନ୍ଧୁ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ଶିଶାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉପସ୍ଥିତ ଅଧିକାରୀମାନେ ସ୍ୱର୍ଗତ ସ୍ୱରାଜ୍ୟ ଶିଶାଙ୍କ ନିଷ୍ଠା, କର୍ମଦକ୍ଷତା ଏବଂ ଜନସମ୍ପର୍କ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ତାଙ୍କ ବିୟୋଗ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତପ୍ରକାଶ କରିଥିଲେ। ଶେଷରେ କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏଥିରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ବେଣୁଧର ଶବର ଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I