କମ ଟଙ୍କା ଦେଇ ମୂଲ୍ୟବାନ ଜିନିଷ ରଖିବା ଘଟଣା : ଜଣେ ଗିରଫ, ୧୭ ଗାଡି ଜବତ

ଆସିକା, ୨୭/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆସିକା ଥାନା ଇଲକା ରେ ଋଣ ପ୍ରଦାନ ନାଁରେ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖାଇ ସାଧାରଣ ଲୋକଙ୍କୁ ଠକୁଥିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଆସିକା ଥାନା ଅନ୍ତର୍ଗତ ମାମୁଁଢିଆ ଗ୍ରାମର ଲକ୍ଷ୍ମଣ କୁମାର ପାଣି (୫୬)।
ପୋଲିସ ସୂଚନା ଅନୁଯାୟୀ, ଦେବଭୂମି ପଞ୍ଚାୟତର ମାମୁଁଢିଆ ଛକରେ କମ୍ ଟଙ୍କାରେ ମୂଲ୍ୟବାନ ସାମଗ୍ରୀ ଓ ସହଜରେ ଋଣ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ସେ ବହୁ ଲୋକଙ୍କୁ ଠକୁଥିବା ନେଇ ପୋଲିସ ନିକଟରେ ମାମୁଁଢିଅ ଗ୍ରାମର ଗୋବିନ୍ଦ ନାଇକଙ୍କ ଅଭିଯୋଗ ପହଞ୍ଚିଥିଲା। ଏହାପରେ ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ବେଳେ ୧୭ଟି ମୋଟର ସାଇକେଲ, ୧୮ଟି ମୋବାଇଲ ଫୋନ, ନଗଦ ୩୧ ହଜାର ଟଙ୍କା, ଏକ ଡାଏରୀ, ୧୫ଟି ଡ୍ରାଇଭିଂ ଲାଇସେନ୍ସ ଓ ୧୦ ଟି ଏଟିଏମ୍ କାର୍ଡ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଆସିକା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଗିରିଜା ନନ୍ଦନ ପଟ୍ଟନାୟକ ଓ ଆଇଆଇସି ସୁଧୀର ସାହୁ ଏହା ଉପରେ ସୂଚନା ଦେଇଥିଲେ। ଏହି ଘଟଣାରେ ଆସିକା ଥାନା କେସ୍ ନଂ–୩୩୯, ତାରିଖ ୨୬.୦୬.୨୦୨୬, ବିଏନଏସ୍‌ର ଧାରା ୩୧୬(୨), ୩୧୮(୪) ଓ ୩୦୮(୨)ରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଶନିବାର ଜେଏମଏଫସି ଅଦାଲତକୁ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।