ବିଡିପୁର କଲେଜ ରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଜଗନ୍ନାଥ ପ୍ରସାଦ ୩୦/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ତା ୩୦-୦୬-୨୬ ରିଖ ଦିନ ଭାରାପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ମୋଚିରାମ ନାହାକ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଚିନଂ ବଦ୍ରିନାରାୟଣ ପାତ୍ର, ଅବସରପ୍ରାପ୍ତ ମୁଖ୍ୟ କିରାଣୀ ନେହରୁ ଚନ୍ଦ୍ର ରଥ ଏବଂ ଅବସରପ୍ରାପ୍ତ କର୍ମଚାରୀ ଟୁନା ପରିଛା ମହୋଦୟ ଙ୍କୁ ପୁଷ୍ପ ଗୁଛ ଉପଢୌକନ ଓ ଉପହାର ଦେଇ ସସମ୍ମାନେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କର୍ମଚାରୀ ସଂଘ ର ସଂପାଦକ ଅଧ୍ୟାପକ ପଞ୍ଚାନନ ପରିଡା କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ବର୍ଣ୍ଣନା କରିବା ସହିତ ଅଧ୍ୟାପକ ମାଧବ ଦଳାଇ, ଡଃ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସୁକାନ୍ତ କୁମାର ପଣ୍ଡା, ଡଃ ନଟବର ଜେନା ଅଧ୍ୟାପିକା ଅର୍ଚ୍ଚନା ପ୍ରିୟଦର୍ଶିନୀ ଏବଂ ମହାବିଦ୍ୟାଳୟ ର ହିସାବ ରକ୍ଷକ ବାଳକୃଷ୍ଣ ସାମଲ ପ୍ରମୁଖ ବିଦାୟୀ ବ୍ୟକ୍ତି ଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ବିଦାୟୀ ଅଧ୍ୟକ୍ଷ ପ୍ରଫେସର ଚିନଂ ବଦ୍ରିନାରାୟଣ ପାତ୍ର ମହାବିଦ୍ୟାଳୟର ପରମ୍ପରା ବଜାୟ ରଖିଥିବାରୁ କର୍ମଚାରୀ ସଂଘ କୁ ଧନ୍ୟବାଦ ଦେବାସହ ମହାବିଦ୍ୟାଳୟ ର ଉନ୍ନତି ପାଇଁ ସମସ୍ତେ ଏକ ହୋଇ କାର୍ଯ୍ୟ କରନ୍ତୁ ବୋଲି କହିଥିଲେ। ସେହିପରି ବିଦାୟୀ ମୁଖ୍ୟ କିରାଣୀ ନେହରୁ ଚନ୍ଦ୍ର ରଥ ମହୋଦୟ ମଧ୍ୟ ନିଜ ଅଭିଭାଷଣରେ କହିଥିଲେ ଯେ ଚାକିରୀ କୁ ବୃତ୍ତି ଭାବରେ ଗ୍ରହଣ ନକରି ଏହାକୁ ଏକ ନିଶା ଭାବରେ ଗ୍ରହଣ କଲେ ମହାବିଦ୍ୟାଳୟ ର ଆହୁରି ଉନ୍ନତି ହୋଇପାରିବ। ସେହିପରି ବିଦାୟୀ କର୍ମଚାରୀ ଟୁନା ପରିଛା ମଧ୍ୟ ନିଜର ଦୀର୍ଘ ଦିନ ର ଅନୁଭୂତି ବର୍ଣ୍ଣନା କରିଥିଲେ। ଶେଷରେ ଅଧ୍ୟାପକ ବସନ୍ତ କୁମାର ଶତପଥୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।