
ଭଞ୍ଜନଗର ୦୧/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ରାଷ୍ଟ୍ରୀୟ ଡାକ୍ତର ଦିବସ ଅବସରରେ ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓଏମଏସଏ)ର ଆହ୍ୱାନକ୍ରମେ ରାଜ୍ୟବ୍ୟାପୀ ୭ ଦିନଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଏହାର ପ୍ରଭାବ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ପଡ଼ିଥିବା ବେଳେ ଡାକ୍ତରମାନେ ହସ୍ପିଟାଲ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟରେ ବସିଥିଲେ।
ମେଡିକାଲ ଅଧିକ୍ଷକ ଡା. ଗୋବିନ୍ଦଚନ୍ଦ୍ର ମହାପାତ୍ର ଙ୍କ ସମେତ ଗାଲେରି ଏସଡ଼ିଏମଓ ଡ଼.ଭଗବାନ ସାହୁ, ଡ଼. ସୁରେଶ ଚନ୍ଦ୍ର ସାମନ୍ତ ଡ଼. ଵି. ପ୍ରଣବାନନ୍ଦ ପାତ୍ର, ଡ଼. ନିବେଦିତା ମହାପାତ୍ର, ଡ଼. ସିମାଞ୍ଚଳ ଡାକୁଆ, ଡ଼. ଗୋବିନ୍ଦ ବିଶ୍ୱାସ, ଡ଼. ଏସଭିଏସ ସାଇ ତେଜା, ଡ଼. ପୁରୁଷୋତ୍ତମ ସ୍ୱାଇଁ, ଡ଼. ପୁଲକ କୁମାର ସାହୁ, ଡ଼. ବିଶାଖା ବୈଶାଖୀ ଦାସ, ଡ଼. ସତୀଶ ମୋହନ ପାଢ଼ୀ, ଡ଼. ସତ୍ୟ ରଞ୍ଜନ ବିଶ୍ୱାଳ, ଡ଼. ଅସ୍ମିତା ତ୍ରିପାଠୀ, ଡ଼. ଅନିଲ କୁମାର ଚୌଧୁରୀ, ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଯୋଗୁଁ ବାହ୍ୟ ରୋଗୀ ବିଭାଗ (ଓପିଡି) ସେବା ସହ ଅନ୍ୟାନ୍ୟ ନିୟମିତ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିଲା। ରୋଗୀମାନଙ୍କୁ ସେବା ଯୋଗାଇବା ପାଇଁ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନଙ୍କୁ ଅସ୍ଥାୟୀ ଭାବେ ନିୟୋଜିତ କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ରହିପାରି ନଥିଲା।
ଓଏମଏସଏ ପକ୍ଷରୁ ସରକାରଙ୍କ ନିକଟରେ ୧୦ ଦଫା ଦାବି ଉପସ୍ଥାପନ କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ କେନ୍ଦ୍ର ସରକାରୀ ଡାକ୍ତରଙ୍କ ସହ ସମାନ ଦରମା, ଗତିଶୀଳ ନିଶ୍ଚିତ କ୍ୟାରିୟର ପ୍ରଗତି (DACP)ର ଶୀଘ୍ର କାର୍ଯ୍ୟକାରୀକରଣ, କର୍ମକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା, ସରକାରୀ ହସ୍ପିଟାଲରେ ଖାଲି ପଦବୀ ପୂରଣ, ଡେଣ୍ଟାଲ ଓ ଏଚଓସି ଡାକ୍ତରଙ୍କୁ ଉପଯୁକ୍ତ ମାନ୍ୟତା, ମୌଳିକ ସୁବିଧା ପ୍ରଦାନ, ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଏବଂ ନ୍ୟାୟସଙ୍ଗତ ସେବା ସର୍ତ୍ତ ଲାଗୁ କରିବା ଆଦି ସାମିଲ ରହିଛି।
ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓଏମଏସଏ ପକ୍ଷରୁ ସୂଚନା ଦିଆଯାଇଛି।