ଗାଙ୍ଗପୁର ଥାନାରେ ଆମ ପୋଲିସ ସମିତି ବୈଠକ : ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ

ଭଞ୍ଜନଗର ୦୪/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସମଗ୍ର ରାଜ୍ୟରେ ଜାରି ରହିଥିବା ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ଗାଙ୍ଗପୁର ଥାନା ପରିସରରେ ‘ଆମ ପୋଲିସ୍ ସମିତି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଏସ୍.ଆଇ ବିନାୟକ ବିଧାର, ଏ.ଏସ୍.ଆଇ ୱାଇ. ବି. ନାଇଡୁ, ସୁରେଶ ନାୟକ ଏବଂ ହାବିଲଦାର ଗୋବର୍ଦ୍ଧନ ଗୌଡ଼ ପ୍ରମୁଖ ମଞ୍ଚାସୀନ ରହି ଯୁବପିଢ଼ିକୁ ନିଶା ସେବନ ଓ ଏହାର ଏବେଧ କାରବାରଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଥାନାଧିକାରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ନିଶା କେବଳ ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ନଷ୍ଟ କରେନାହିଁ, ବରଂ ସାରା ପରିବାର ଓ ସମାଜକୁ ଧ୍ୱଂସ କରିଦିଏ; ତେଣୁ ସ୍ଥାନୀୟ ଅଞ୍ଚଳକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପୋଲିସ୍ ପ୍ରଶାସନ ସହିତ ଜନସାଧାରଣ ସହଯୋଗର ହାତ ବଢ଼ାଇବା ଜରୁରୀ।

ଏହି କାର୍ଯ୍ୟକ୍ରମ ଅବସରରେ ପୋଲିସ୍ ମହାନିର୍ଦ୍ଦେଶକ (ଡ଼ିଜିପି ) ମଧ୍ୟ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଯୋଡ଼ିହୋଇ ନିଶା କାରବାରକୁ ସମ୍ପୂର୍ଣ୍ଣ ରୂପେ ‘ନା’ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଏହା ସହ ବିଭିନ୍ନ ସମୟରେ ଜବତ ହୋଇ ଗଚ୍ଛିତ ରହିଥିବା ମାଦକ ଦ୍ରବ୍ୟଗୁଡ଼ିକୁ ଆଇନର ପରିସର ମଧ୍ୟରେ ତୁରନ୍ତ ନଷ୍ଟ କରିବା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ସମାଜରୁ ତମାଖୁ ବର୍ଜନ କରିବା ପାଇଁ ଏକ ସଂକଳ୍ପ ନେଇ ଶପଥ ପାଠ କରିଥିଲେ।

ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, କେ. ପ୍ରକାଶ ରାଓ, ଦିଲ୍ଲୀପ ସ୍ୱାଇଁ, ଜଗନ୍ନାଥ ବିଷୋୟୀ, ପଞ୍ଚାନନ ସାହୁ,ଯୋଗିନ୍ଦ୍ର ବିଷୋୟୀଙ୍କ ସମେତ ଆମ ପୋଲିସ୍ ସମିତିର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା ଓ ସଫଳ କରିବାରେ ଗାଙ୍ଗପୁର ଥାନାର ସମସ୍ତ ପୋଲିସ୍ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।