ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ପାଳନ; ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା

ଭଞ୍ଜନଗର, ୦୬/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଓ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ସୋମବାର ସ୍ଥାନୀୟ ନୂତନ କୋର୍ଟ ପରିସରରେ ‘ବନ ମହୋତ୍ସବ ସପ୍ତାହ’ ଅବସରରେ ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରିବେଶ ସଂରକ୍ଷଣ ଓ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ସମାଜକୁ ସଚେତନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନ୍ୟାୟପାଳିକା, ବନ ବିଭାଗ, ପ୍ରଶାସନ ଏବଂ ଆଇନଜୀବୀ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସେଖ୍ ମହମ୍ମଦ କଏସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ, ପ୍ରକୃତି ଓ ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ଅପରିହାର୍ଯ୍ୟ ଏବଂ ପ୍ରତ୍ୟେକ ନାଗରିକଙ୍କୁ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ।

ଏହି ଅବସରରେ ବରିଷ୍ଠ ଦେୱାନୀ ବିଚାରପତି ଦେବାଶିଷ ବିଶୋଇ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସୌମ୍ୟ ରଞ୍ଜନ ପୃଷ୍ଟି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଭିୟନା ନାୟକ, ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିମଳ ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ରେଞ୍ଜର ପୃଥ୍ୱୀରାଜ ପ୍ରଧାନ, ରେଞ୍ଜ ଅଫିସର, ଫରେଷ୍ଟର ଶରତ କୁମାର ମାହାନ୍ତି ଏବଂ ବବୁଲୁ ସେଠି ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

ଏଥିସହ ଭଞ୍ଜନଗର ବାର୍ ଆସୋସିଏସନର ସଭାପତି ସନ୍ତୋଷ କୁମାର ନାୟକ, ଉପସଭାପତି ରଜତ କୁମାର ଦାଶ, ସମ୍ପାଦକ ଧିରେନ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦିକା ସ୍ନିଗ୍ଧା ଦାଶ, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ତିଆଡ଼ି, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଗୋପାଳ କୃଷ୍ଣ ପ୍ରଧାନ, ଆଇନ ସେବା ସମିତିର ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଏବଂ ଅଳକା ମଞ୍ଜରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

କାର୍ଯ୍ୟକ୍ରମରେ ଭଞ୍ଜନଗର ବାର୍ ଆସୋସିଏସନର ସଦସ୍ୟବୃନ୍ଦ, ନ୍ୟାୟିକ ଅଧିକାରୀ, କୋର୍ଟ କର୍ମଚାରୀ, ବନ ବିଭାଗର କର୍ମଚାରୀ ଏବଂ ତାଲୁକ ଆଇନ ସେବା ସମିତିର ସଦସ୍ୟମାନେ ଉତ୍ସାହର ସହ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ। ସମସ୍ତେ ପରିବେଶ ସଂରକ୍ଷଣ ଏବଂ ରୋପଣ କରାଯାଇଥିବା ବୃକ୍ଷର ଯତ୍ନ ନେବା ପାଇଁ ଶପଥ ଗ୍ରହଣ କରିଥିଲେ।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସବୁଜ ଓ ସ୍ୱଚ୍ଛ ପରିବେଶ ଗଠନ ଦିଗରେ ଏକ ପ୍ରେରଣାଦାୟକ ପଦକ୍ଷେପ ହୋଇଥିବାବେଳେ, ସମାଜରେ ପରିବେଶ ସଚେତନତା ସୃଷ୍ଟି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।