ବୈତରଣୀ ସୁରକ୍ଷା କର୍ମୀଙ୍କୁ ତ୍ରିଦେବ ବେହେରାଙ୍କ ସମ୍ବର୍ଦ୍ଧନା

ଚୌଦ୍ୱାର (ଶିବବ୍ରତ ଦାସ ) ବୈତରଣୀ ନଦୀର ସୁରକ୍ଷା ଓ ଚୋରା ବାଲି ଚାଲାଣ ବନ୍ଦ ଦାବିରେ କେନ୍ଦୁଝର ଜିଲ୍ଲାର କିଛି ଯୁବକ କେନ୍ଦୁଝରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, କେନ୍ଦୁଝର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରୁ ଦୀର୍ଘ ବର୍ଷ ଧରି ଅବୈଧ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।
ଏନେଇ ବହୁବାର ଜିଲ୍ଲାପାଳ, ଏସ୍‌ପି ଏବଂ ଖଣି ବିଭାଗର ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଯୁବକମାନେ କହିଛନ୍ତି। ତେଣୁ ସେମାନେ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିବେ ବୋଲି ସୂଚନା ଦେଇଛନ୍ତି।ଆଜି ପଦଯାତ୍ରା ଟାଙ୍ଗିରେ ପହଞ୍ଚିବା ପରେ ଟାଙ୍ଗି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ତ୍ରିଦେବ ବେହେରା ପଦଯାତ୍ରୀ ଯୁବକମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିପରି ସେ ଟାଙ୍ଗିରୁ ମଙ୍ଗୁଳି ଛକ ପର୍ଯ୍ୟନ୍ତ ସେମାନଙ୍କ ସହ ପଦଯାତ୍ରାରେ ସାମିଲ ହୋଇ ବୈତରଣୀ ନଦୀ ସୁରକ୍ଷା ଅଭିଯାନକୁ ସମର୍ଥନ ଜଣାଇଥିଲେ।।