ପାଟପୁର ଶନିମନ୍ଦିର ଦାନ ବକ୍ସ ଭାଙ୍ଗି ଚୋରି  କଲେ ଦୁର୍ବୃତ୍ତ

ପାଟପୁର ୧୦/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ପାଟପୁର ଥାନାଅଞ୍ଚଳରେ ଚୋର ଆତଙ୍କ ।ପୋଲିସ କୁ ଚ୍ୟାଲେଞ୍ଜ କରି ଥାନା ଠାରୁ ମାତ୍ର ଦୁଇ ଶହେ ମିଟର ଦୂରରେ ଥିବା  ଶ୍ରୀ ଶନିଶ୍ଚର ମନ୍ଦିର ରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦାନ ବକ୍ସ ଭାଙ୍ଗି ଚୋରି କରିଥିବା ଜଣାପଡିଛି। ଶନି ମନ୍ଦିରରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶନି ମନ୍ଦିର ପୂଜାରୀ ଭୋର ପୂଜା କରିବା ପାଇଁ ଆସିଥିଲେ।ପ୍ରଥମେ ମନ୍ଦିର ଗମ୍ଭୀରା ଭିତରକୁ ଯିବା ପୂର୍ବରୁ  ମୁଖ୍ୟ ଫାଟକ ଖୋଲାଥିବା ସେ ଦେଖିଥିଲେ। ଏହାପରେ ସେ ଗମ୍ଭୀରା ଭିତରକୁ ଯିବାପରେ ଫାଟକ ନିକଟରେ ଥିବା ଦାନ ବକ୍ସ  ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ପୂଜକ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ମାନଙ୍କୁ ଖବର ଦେଇଥିଲେ । ଖବର ପାଇ  ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ଓ ଗ୍ରାମବାସୀ ପହଞ୍ଚି ଦାନ ବକ୍ସ ଭାଙ୍ଗି ଦୁର୍ବୃତ୍ତ ମାନେ  ସେଥିରୁ ପ୍ରାୟ ୫ ହଜାର ଟଙ୍କା ନେଇଯାଇଥିବା ଜାଣିବାକୁ ପାଇଥିଲେ ।ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ   ପାଟପୁର ଥାନା କୁ ଏନେଇ ଖବର ଦେଇଥିଲେ। ପାଟପୁର ଥାନା ପୋଲିସ ଟିମ୍ ମନ୍ଦିର ପରିସରରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଥିଲେ। ଅଞ୍ଚଳରେ ପୂର୍ବରୁ ବିଭିନ୍ନ ମନ୍ଦିର ରୁ ଗତ ୨୦୨୫ ଜୁଲାଇ ୨୪ ତାରିଖ ବିଳମ୍ବିତ ରାତିରେ ପାଟପୁର ଥାନା ଠାରୁ କିଛି ଦୂରରେ ରହିଥିବା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ରତ୍ନମାଳାପୁର ଗ୍ରାମ  ବୁଦ୍ଧେଶ୍ୱର ଶୈବପୀଠ ର ଦାନ ହୁଣ୍ଡି ଓ ଶୈବପୀଠ ଭିତରେ ଥିବା ଦୁଇଟି ଦାନ ବାକ୍ସ ଭାଙ୍ଗି  ସେଥିରୁ ପ୍ରାୟ ୩୦ ହଜାର ଟଙ୍କା ନେଇଯାଇ ହୁଣ୍ଡି କୁ ବାହାରକୁ ଫୋପାଡ଼ି ଦେଇଥିଲେ। ଶୈବପୀଠ  ପରିଚାଳନା କମିଟି ପାଟପୁର ଥାନା ରେ ଅଭିଯୋଗ କରିଥିଲେ। ସେହି ଭଳି ପାଟପୁର ଥାନା କଙ୍କୋରଡା ଗ୍ରାମ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ମନ୍ଦିର  ତାଲା ଭାଙ୍ଗି କିଛି ଦୁବୃର୍ତ୍ତ ମାଁ ଙ୍କ   ସୁନା,ରୂପା ଅଳଙ୍କାର ଲୁଟି ନେଇଥିଲେ।   ପାଟପୁର ଥାନା ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।