ସାମାନ୍ୟ ଫିଉଜ ଟିଏ ପାଇଁ ୪ଘଣ୍ଟା ଅନ୍ଧାର, ଗ୍ରାମବାସୀ ହନ୍ତସନ୍ତ

ଭଞ୍ଜନଗର: ୧୧/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଉତ୍ତମ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ବିଦ୍ୟୁତ୍ ବିତରଣ ପାଇଁ ଟାଟା ପାୱାର ହାତକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଟାଟା ପାୱାର ସମସ୍ତଙ୍କ ଆଶାକୁ ଧୂଳିସାତ କରିଦେଇଛି। ସାମାନ୍ୟ ବର୍ଷା ଟିକିଏ ହେଲେ ଘଣ୍ଟା ଘଣ୍ଟା ପାୱାର କଟ, ଯଦି କାହାର ଘରୋଇ ସଂଯୋଗରେ କିଛି ଅସୁବିଧା ହୁଏ କିମ୍ବା ଟ୍ରାନ୍ସଫର୍ମର ରୁ ପାୱାର କଟିଯାଏ ତେବେ ସଜାଡ଼ିବାକୁ କର୍ମଚାରୀ ଆସିବାପାଇଁ ହେଲେ ଅନଲାଇନରେ ଅଭିଯୋଗ କରିବା ପାଇଁ ପଡୁଛି । ସେଥିରେ ଦିନ ଦିନ ବିତିଯାଉଛି। ସେହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଧୀନ ଡିହପଢାଳ ଗ୍ରାମରେ। ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଟ୍ରାନ୍ସଫର୍ମରରୁ ହଠାତ୍ ଫିଉଜ ପଳାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଏହାକିଯେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ବିଭାଗୀୟ କର୍ମଚାରୀ ଆସିନଥିଲେ କି ଫିଉଜକୁ ସଜାଡି ନଥିଲେ। ଦୀର୍ଘ ୫ଘଣ୍ଟା ପରେ ଗ୍ରାମବାସୀ ମାନେ ଟ୍ରାନ୍ସଫର୍ମର ନିକଟକୁ ଆସି ହଟଗୋଳ କରିଥିଲେ କିଛି ସମୟ ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ଆସି ବୁଝାସୁଝା କରି ଫିଉଜ ସଜାଡି ବିଦ୍ୟୁତ୍ ସେବା ସ୍ୱାଭାବିକ କରାଇଥିଲେ। ପ୍ରଶ୍ନ ଉଠୁଛି କେବେ ଟାଟା ପାୱାର ନିଜର କାର୍ଯ୍ୟ ସୁଚାରୁ ରୁପେ କରିବ? ଏବଂ ଜନସାଧାରଣ ଉପକୃତ ହେବେ।