
ଭଞ୍ଜନଗର -୧୧/୦୭ (ଅମରେନ୍ଦ୍ର କୁମର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) : ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥିତ ଶ୍ରୀ ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦାୟିତ୍ୱ ନଦେଇ ପ୍ରଧାନ ଶିକ୍ଷୟତ୍ରୀ ଫେରାର ହୋଇ ଯାଇଥିବାରୁ ଗତକାଲି ଟି.ସି ନପାଇ ଛାତ୍ରୀମାନେ ନିରାଶରେ ଫେରିଥିଲେ। ତେବେ ଆଜି ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟାଳୟ ତାଲା ଭଙ୍ଗା ଯାଇଥିଲେ ହେଁ କୋୖଣସି ରେକର୍ଡ ପତ୍ର ନ ମିଳିବାରୁ ଆଜି ମଧ୍ୟ ଦଶମ ପାସ ହୋଇଥିବା ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ନିରାଶ ହୋଇଛନ୍ତି l ପ୍ରଧାନ ଶିକ୍ଷୟତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧି ଦୁର୍ନୀତି ଅଭିଯୋଗରେ ନୀଳମ୍ବିତ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କାହାକୁ ଦାୟିତ୍ୱ ହସ୍ତାନ୍ତର କରି ନଥିବାରୁ ଗତକାଲି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ଡିଇଓଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷୟିତ୍ରୀ ସୁମିତ୍ରା ମିଶ୍ରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଆଜି ଏ ସବୁ ସମସ୍ୟାର ସମାଧାନ ଆଶାରେ ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡି, ବିଇଓ ଚିନ୍ମୟ ମହାପାତ୍ର ଓ ତହସିଲଦାର ତାପସ ରାଉତଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ପ୍ରକୋଷ୍ଠ ଚାବି ଭଙ୍ଗା ଯାଇଥିଲା ତେବେ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟାଳୟରେ ନା ଥିଲା ଆଡ଼ମିସନ ରେଜିଷ୍ଟ୍ରର ନା ଥିଲା ଏସ ଏଲ ସି ଖାତା ଫଳରେ ପୁଣି ନିରାଶ ହୋଇ ଫେରିଛନ୍ତି ଛାତ୍ରୀ ଓ ଅଭିଭାବକ।