
ଭଞ୍ଜନଗର -୧୪/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଭାବର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଯିଏ ଯେମିତି ଭାବରେ ଡାକେ ବା ଯାଏ ଠାକୁର ସେମିତି ତାଙ୍କୁ ନିଜ ପାଖକୁ ଟାଣି ନିଅନ୍ତି। ତାଙ୍କର ଡୋରୀ ଲାଗିଲେ ଯେତେ ବାଧାବିଘ୍ନକୁ ସାମ୍ନା କରିଲେ ମଧ୍ୟ ଜଗନ୍ନାଥଙ୍କ କୃପାରୁ ସବୁ ଲାଘବ ହୋଇପଡେ। କୋଟି କୋଟି ଲୋକଙ୍କ ବିଶ୍ବାସ ହିଁ ଆଜି ମହାପ୍ରଭୂଙ୍କ ଘୋଷଯାତ୍ରାକୁ ଆକର୍ଷିତ କରୁଛି। ଦେଶ ବିଦେଶରେ ରଥଯାତ୍ରା ପାଳନ ହେଉଥିବା ବେଳେ ପୁରୀରେ ଲକ୍ଷାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳେ। ବିଶେଷ କରି ପୁରୀ ରଥଯାତ୍ରା ପାଇଁ ଚାରିଆଡେ ମାହୋଲ ଉତ୍ସବ ମୁଖର ହେଲାଣି। ଏଥିରେ ସାମିଲ ହେବା ପାଇଁ ରାଜ୍ୟ ସମେତ ଦେଶର ବିଭିନ୍ନ କୋଣ ଅନୁକୋଣଙ୍କ ସୂଅ ପୁରୀ ଅଭିମୁଖେ ଏବେ ଠାରୁ ଛୁଟିବା ଆରମ୍ଭ କଲାଣି। ଏହି ପରିପ୍ରେକ୍ଷିରେ ପଡୋଶୀ ଛତିଶଗଡ ଗରିବନ୍ଧ ଜିଲ୍ଲାର ୩ ଜଣ ଯୁବ ଶ୍ରଦ୍ଧାଳୁ ସାଇକଲରେ ବାହାରି ରଥଯାତ୍ରାରେ ସାମିଲ ହେବାକୁ ନିଜର ଯାତ୍ରା ଆରମ୍ଭ କରି ଆଜି ଭଞ୍ଜନଗର ଠାରେ ପହଞ୍ଚିଛନ୍ତି। ଗରିବନ୍ଧ ଜିଲ୍ଲାର ଦେଓଭୋଗ ଗ୍ରାମର ତାମ୍ରଧ୍ବଜ ନାଗେଶ,ଦେବାନନ୍ଦ ଯାଦବ ଓ ଖଗେଶ୍ବର ଧ୍ରୁବ୍ ତିନି ଜଣ ମିଶି ସାଇକଲରେ ଗତ ୧୦ ତାରିଖରୁ ନିଜ ଗ୍ରାମରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ବାଟରେ ସାତ୍ତ୍ବିକ ଆହାର ଗ୍ରହଣ କରୁଥିବା ସେମାନେ କହିଥିବା ବେଳେ ଦିନକୁ ୧୦୦ କିମି ଅତିକ୍ରମ କରିବାକୁ ସେମାନେ ଲକ୍ଷ୍ୟ ରଖି ସାଇକଲ ଚଲାଉଥିବା କହିଛନ୍ତି। ଆଜି ରାତିରେ ସେମାନେ ଓଡଗାଁରେ ରାତ୍ରୀ ଯାପନ କରିବା ପରେ ପୁଣି କାଲି ସକାଳୁ ସାଇକଲରେ ବାହାରିବେ ବୋଲି କହିଛନ୍ତି। ଆଜି ଭଞ୍ଜନଗର ଠାରେ ମଧ୍ୟାହ୍ନରେ ପହଞ୍ଚିବା ପରେ ସେମାନଙ୍କ ଏହି ମହତ୍ ଉଦ୍ଦେଶ୍ୟ ସଂର୍ପକରେ ଜାଣିବା ପରେ କିଛି ସ୍ଥାନୀୟ ଆଧ୍ୟାତ୍ମିକ ଚେତନା ବ୍ୟକ୍ତି ସେମାନଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଥିଲେ। ଏଥିପୂର୍ବରୁ ସେମାନେ ଅଯୋଧ୍ୟା ମଧ୍ୟ ସାଇକଲରେ ଯାଇଥିବା ତାମ୍ରଧ୍ବଜ ପ୍ରକାଶ କରିଛନ୍ତି।