
ଚୌଦ୍ୱାର (ଶିବବ୍ରତ ଦାସ ): ଟାଙ୍ଗୀ ଏବଂ ଚୌଦ୍ୱାର ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ବିଭିନ୍ନ ମନ୍ଦିରରୁ ବାରମ୍ବାର ଚୋରି କରୁଥିବା ଏକ ସକ୍ରିୟ ଚୋର ଗୋଷ୍ଠୀର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ପୋଲିସକୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ଚାରବାଟିଆ ରେଳ ଷ୍ଟେସନ ନିକଟରୁ ପୋଲିସ ଜଣେ ମହିଳା ଓ ଜଣେ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ ଏବଂ ଅନେକ ମନ୍ଦିରରୁ ଦାନବାକ୍ସ ଭାଙ୍ଗିବା ସହ ଅଳଙ୍କାର ଓ ପୂଜା ସାମଗ୍ରୀ ଲୁଟ୍ କରିବାରେ ସାମିଲ ଥିଲେ।ପୋଲିସ ସୂଚନା ଅନୁଯାୟୀ, ଗତ କିଛି ସପ୍ତାହ ଧରି ଟାଙ୍ଗୀ ଏବଂ ଚୌଦ୍ୱାର ଅଞ୍ଚଳର ଏକାଧିକ ପ୍ରସିଦ୍ଧ ଓ ଗ୍ରାମ୍ୟ ମନ୍ଦିରରେ କ୍ରମାଗତ ଭାବେ ଚୋରି ହେଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା।ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚାରବାଟିଆ ରେଳ ଷ୍ଟେସନ ପରିସରରେ ଚଢ଼ାଉ କରିଥିଲା। ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଉକ୍ତ ମହିଳା ଏବଂ ଯୁବକଙ୍କୁ ଘେରାବନ୍ଦୀ କରି କାବୁ କରାଯାଇଥିଲା। ସେମାନଙ୍କ ନିକଟରୁ କିଛି ସନ୍ଦେହଜନକ ସାମଗ୍ରୀ ସହ ମନ୍ଦିରରୁ ଲୁଟ୍ ହୋଇଥିବା ଅଳଙ୍କାର ଏବଂ ପିତ୍ତଳ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି।ପୋଲିସ ଉଭୟଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଚୋରି ସାମଗ୍ରୀ କେଉଁଠାରେ ବିକ୍ରି କରାଯାଉଥିଲା, ସେ ନେଇ ତଦନ୍ତ ଚାଲିଥିବା ସ୍ଥାନୀୟ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଅଭିଯୋଗରେ ଟାଙ୍ଗୀ ଥାନା ଜଣଙ୍କୁ ଓ ଚୌଦ୍ୱାର ଥାନା ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି।