
ସୋରଡ଼ା ୨୧/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି): ଗଞ୍ଜାମ ବଡ଼ଗଡ଼ ବନାଞ୍ଚଳକୁ ମିଳିଛି ବଡ଼ ସଫଳତା। ଖାରିଗୁଡ଼ା ଗାଁ ନିକଟରୁ ଶାଳ କାଠ ବୋଝେଇ ଏକ ପିକଅପ୍ ଭ୍ୟାନ୍କୁ ବନବିଭାଗ ଜବତ କରିଛି।
ଭୋର ସମୟରେ ବଡ଼ଗଡ଼ ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ବାଳିଆପୀଟା–ଅମୃତୁଲ ରାସ୍ତା ଦେଇ କାଠ ଚୋରାଚାଲାଣ ହେଉଥିବା ସୂଚନା ପାଇଥିଲେ। ଏହାପରେ ପିକଅପ୍ ଭ୍ୟାନ୍କୁ ପିଛା କରି ଖାରିଗୁଡ଼ା ନିକଟରେ ଅଟକାଇଥିଲେ।
ବନବିଭାଗ ଟିମ୍କୁ ଦେଖି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡ଼ି ସହ ୬୦ ସିଫ୍ଟ ରୁ ଅଧିକ ଶାଳ କାଠ ଜବତ କରାଯାଇଛି। ଜବତ କାଠ ଓ ଗାଡ଼ିର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ବୋଲି ବନବିଭାଗ ସୂଚନା ଦେଇଛି।
କାଠ ଚୋରାଚାଲାଣ ପଛରେ କିଏ ରହିଛି ଏବଂ ଏହି ରାକେଟ୍ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ବଡ଼ଗଡ଼ ବନବିଭାଗ ଅଧିକ ତଦନ୍ତ ଚଳାଇଛି।