କେବେ ସୁଧୀରିବ ଦୁଧିଆନାଳୀ ବାସୀଙ୍କ ସମସ୍ୟା

ଚୌଦ୍ୱାର (ଶିବବ୍ରତ ଦାସ ) ବିକାଶର ଯୁଗରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶତାଧିକ ଗ୍ରାମବାସୀ। ରାସ୍ତା ଅଛି, କିନ୍ତୁ ଯାତାୟାତ ପାଇଁ ସୁରକ୍ଷିତ ନୁହେଁ। ବିକାଶ ନାଁରେ ରାସ୍ତା ଖୋଳାଗଲା, କଲଭର୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା, ହେଲେ ବର୍ଷ ପରେ ବର୍ଷ ବିତିଗଲେ ମଧ୍ୟ ଶେଷ ହେବାର ନାଁ ଧରୁନି ନିର୍ମାଣ କାର୍ଯ୍ୟ। ଫଳରେ ଯାତାୟାତରେ ଘୋର ସମସ୍ୟାର ସମ୍ମୁଖୀନ ହେବା ସହ ଜୀବନକୁ ବାଜି ଲଗାଇ ରାସ୍ତା ପାର ହେଉଛନ୍ତି ଛୋଟ ଛୋଟ ପିଲା ଓ ସାଧାରଣ ଲୋକ। ଏଭଳି ଏକ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି ଟାଙ୍ଗୀ-ଚୌଦ୍ଵାର ବ୍ଲକ ଅନ୍ତର୍ଗତ ମହିଷାଲଣ୍ଡା ପଞ୍ଚାୟତର ଦୁଧିଆନାଳି ଗ୍ରାମରୁ। ଦୁଧିଆନାଳି ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ହୋଇଥିବା ବେଳେ ଏଠାକାର ଲୋକଙ୍କ ପାଇଁ ବିକାଶ ଆଜି ବି ସାତ ସପନ ପାଲଟିଛି। ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପରେ ରାସ୍ତାରେ ଏକ କଲଭର୍ଟ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଯେପରି ଏହାକୁ ଅଧାରେ ଛାଡ଼ି ଦିଆଯାଇଛି। ଦୀର୍ଘ ବର୍ଷ ଧରି ରାସ୍ତା ଖୋଳା ଅବସ୍ଥାରେ ପଡ଼ିରହିଥିବାରୁ ଗ୍ରାମବାସୀଙ୍କ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ିଛି। ବିଶେଷକରି ବର୍ଷା ଦିନ ଆସିଲେ ସମସ୍ୟା ଆହୁରି ଗମ୍ଭୀର ହୋଇଯାଉଛି। ଅସରାଏ ବର୍ଷା ହେଲେ ରାସ୍ତା ଓ ଏହାର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ଫଳରେ ଗ୍ରାମବାସୀଙ୍କ ଯାତାୟାତ ଠପ୍ ହେବା ସହ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଓ କଲେଜ୍ ଯିବା ସମୟରେ ଭୟଙ୍କର ବିପଦର ସମ୍ମୁଖୀନ ହେଉଛନ୍ତି। କେବେ କିଛି ଦୁର୍ଘଟଣାର ଶିକାର ହେବେ ଏହା କହିବା ମୁସ୍କିଲ। ଛୋଟ ଛୋଟ ପିଲାମାନେ ପ୍ରତିଦିନ ଏହି ବିପଦସଙ୍କୁଳ ରାସ୍ତା ଦେଇ ନିଜ ଜୀବନକୁ ବାଜି ଲଗାଇ ପାଠ ପଢ଼ିବାକୁ ଯାଉଛନ୍ତି। ଏପରିକି ଜରୁରୀ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ଯାନ ଗ୍ରାମ ଭିତରକୁ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ କୌଣସି ବଡ଼ ଅଘଟଣ ଘଟିଲେ ଏଥିପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ସବୁଠାରୁ ବଡ଼ କଥା ହେଉଛି, ଏହି ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଲୋକପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ନିର୍ମାଣ କାର୍ଯ୍ୟ କାହିଁକି ଅଧାରେ ଅଟକିଛି, କେବେ ଶେଷ ହେବ ଏବଂ ଗ୍ରାମବାସୀ କେବେ ସୁରକ୍ଷିତ ଯାତାୟାତର ସୁବିଧା ପାଇବେ ଏହାର ଉତ୍ତର କାହା ପାଖରେ ନାହିଁ। ଏପରି ସମୟରେ ଆଜି ଗ୍ରାମବାସୀଙ୍କ ସମସ୍ୟା ବୁଝିବା ପାଇଁ ଦୁଧିଆନାଳି ଗ୍ରାମରେ ପହଞ୍ଚିଥିଲେ ଆଠଗଡ଼-ତିଗିରିଆ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ସାହୁ ଏବଂ ଟାଙ୍ଗୀ-ଚୌଦ୍ଵାର ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳ। ସେମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ତାଙ୍କର ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।ଗ୍ରାମବାସୀମାନେ ନିଜ ଦୁର୍ଦ୍ଦଶା ସମ୍ପର୍କରେ ଜଣାଇବା ସହ ଅଧାପନ୍ତରିଆ ହୋଇ ପଡ଼ିଥିବା କଲଭର୍ଟ ନିର୍ମାଣ କାର୍ଯ୍ୟ ଯୋଗୁଁ ହେଉଥିବା ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଏହାକୁ ନେଇ କଂଗ୍ରେସ ନେତାମାନେ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ଆଦିବାସୀ ଅଞ୍ଚଳର ବିକାଶ ପାଇଁ ବଡ଼ ବଡ଼ ଦାବି କରାଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର ଏଠାରେ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେମାନେ କହିଥିଲେ।
କେବଳ ଘୋଷଣା ଓ ପ୍ରତିଶ୍ରୁତିରେ ନୁହେଁ, ଲୋକଙ୍କ ଜୀବନ ସହ ଜଡ଼ିତ ମୌଳିକ ସମସ୍ୟାର ସମାଧାନ ହିଁ ପ୍ରକୃତ ବିକାଶ ବୋଲି କଂଗ୍ରେସ ନେତାମାନେ ମତ ଦେଇଥିଲେ। ଏତେ ଦିନ ଧରି ଏକ ନିର୍ମାଣାଧୀନ କଲଭର୍ଟ ଶେଷ ହୋଇନଥିବା ଘଟଣା ଦାୟିତ୍ୱହୀନତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସେମାନେ ଅଭିଯୋଗ କରିଥିଲେ। ଏହି ନିର୍ମାଣ କାର୍ଯ୍ୟକୁ ଖୁବଶୀଘ୍ର ଶେଷ କରାଯାଇ ଗ୍ରାମବାସୀଙ୍କ ଯାତାୟାତ ସମସ୍ୟାର ସମାଧାନ ନକରାଗଲେ, ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଆବଶ୍ୟକ ପଡ଼ିଲେ ଜନଆନ୍ଦୋଳନ କରାଯିବ ବୋଲି ସୁଦର୍ଶନ ସାହୁ ଓ ଆଶୁତୋଷ ବରାଳ ପ୍ରକାଶ କରିଛନ୍ତି। ତେବେ ଦୁଧିଆନାଳି ଗ୍ରାମବାସୀଙ୍କ ଏହି ଦୁର୍ଦ୍ଦଶା କେବେ ଦୂର ହେବ? ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡ଼ିଥିବା କଲଭର୍ଟ ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ? ଛାତ୍ରଛାତ୍ରୀମାନେ କେବେ ସୁରକ୍ଷିତ ଭାବେ ସ୍କୁଲ ଓ କଲେଜ୍ ଯାଇପାରିବେ? ଏହା ଏବେ ବଡ଼ ପ୍ରଶ୍ନ। ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଦେଖି ପ୍ରଶାସନ କେବେ ଜାଗିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।