
ଭଞ୍ଜନଗର ୨୪/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଥାନା ଅଧିନ ଯୋଗିମାରୀ ଗ୍ରାମ ନିକଟ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥିସହ ଉଭୟ ଗାଡିର ୪ ଜଣ ଆହାତ ହୋଇଛନ୍ତି। ମୃତକ ଜଣକ ହେଲେ ବେଲଗୁଣ୍ଠା ଥାନା ଅଧିନ ପନ୍ତିଖାରି ଗ୍ରାମର ସନ୍ତୋଷ କୁମାର ଗୌଡ(୪୫)। ସନ୍ତୋଷ ନିଜ ପତ୍ନୀ ସାବିତ୍ରୀ ଓ ଝିଅ ରାଜଲକ୍ଷ୍ମୀକୁ ସାଙ୍ଗରେ ନେଇ ଶ୍ବଶୁର ଘର ବାହାଡପଦରକୁ ଆସିଥିଲେ। ସେଠାରୁ କାମ ସାରି ସନ୍ଧ୍ୟା ସମୟରେ ବାଇକରେ ନିଜ ଗାଁକୁ ଫେରୁଥିବା ସମୟରେ ବାଟରେ ଯୋଗୀମାରୀ ଗ୍ରାମର ପରେ ରହିଥିବା ଏକ ବୁଲାଣି ଠାରେ ବିପରୀତ ଦିଗରୁ ଆସୁଥିବା ସାନକୋଦଣ୍ଡାର ଚନ୍ଦ୍ରକାନ୍ତ ସ୍ବାଇଁ ଓ ଜିତେନ୍ଦ୍ର ପ୍ରଧାନ ମୁହାଁମୁହିଁ ଧକ୍କା ଦେଇଥିଲେ। ଫଳରେ ଉଭୟ ଗାଡିରୁ ସମସ୍ତେ ରାସ୍ତା ଉପରକୁ ଛିଟିକି ପଡିଥିଲେ। ଏହାପରେ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ୍ ସହାୟତାରେ ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିବା ବେଳେ ଝିଅର ଡାହାଣ ଗୋଡ ଭାଙ୍ଗିବା ସହ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ତେବେ ବିପରୀତ ଦିଗରୁ ଆସୁଥିବା ବ୍ୟକ୍ତି ମାନେ ମଦ୍ୟପାନ କରିଥିବା ଯୋଗୁ ଏଭଳି ଦୁର୍ଘଟଣା ହୋଇଥିବା ଅଭିଯୋଗ ହୋଇଛି। ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ପୁଲିସ ଘଟଣାସ୍ଥଳରୁ ବାଇକ ଜବତ କରିବା ସହ ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।