
ଚୌଦ୍ଵାର (ଶିବବ୍ରତ ଦାସ ): ବେଆଇନ ଆନ୍ତଃରାଜ୍ୟ ଗୋ-ଚାଲାଣ ବେଳେ ଟାଙ୍ଗୀ ପୋଲିସକୁ ମିଳିଛି ବଡ଼ ସଫଳତା। ଜାଲି ନମ୍ବର ପ୍ଲେଟ୍ ଲଗାଇ ଗୋବଂଶ ଚାଲାଣ କରାଯାଉଥିବା ବେଳେ ୧୭ଟି ଗୋବଂଶକୁ ଉଦ୍ଧାର କରିବା ସହ ଗାଡ଼ିର ଚାଳକ, ହେଲ୍ପର ଓ ମାଲିକଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ପୋଲିସ ପକ୍ଷରୁ ବନ୍ଦାଳ ଟୋଲ୍ ଗେଟ୍ ନିକଟରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ସନ୍ଦିଗ୍ଧ ଏକ ଆଇଚର୍ ଗାଡ଼ିକୁ ଅଟକାଇବାକୁ ପୋଲିସ ଉଦ୍ୟମ କରିଥିଲା। ତେବେ ପୋଲିସର ସଙ୍କେତକୁ ଅବମାନନା କରି ଚାଳକ ଗାଡ଼ିକୁ ଦ୍ରୁତ ଗତିରେ ନେଇ ଫେରାର ହେବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସର ତତ୍ପରତା ଯୋଗୁଁ ଗାଡ଼ିଟିକୁ ସଫଳତାର ସହ ଅଟକାଯାଇଥିଲା। ଗାଡ଼ି ଯାଞ୍ଚ ବେଳେ ଭିତରୁ ଅତ୍ୟନ୍ତ ଅମାନବିକ ଭାବରେ ପରିବହନ କରାଯାଉଥିବା ୧୦ଟି ଗାଈ ଓ ୭ଟି ବାଛୁରୀଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହି ଚାଲାଣ ସମୟରେ ଗୋଟିଏ ବାଛୁରୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଯାଞ୍ଚ ସମୟରେ ଗାଡ଼ିର ସମ୍ମୁଖ ଭାଗରେ ଲାଗିଥିବା ନମ୍ବର ପ୍ଲେଟ୍ ଓ ଗାଡ଼ିର ପ୍ରକୃତ ପଞ୍ଜୀକରଣ ନମ୍ବର ଭିନ୍ନ ଥିବା ଜଣାପଡ଼ିଥିଲା। ଫଳରେ ଗାଡ଼ିର ପରିଚୟ ଲୁଚାଇ ବେଆଇନ ଗୋ-ଚାଲାଣ କରାଯାଉଥିବା ନେଇ ପୋଲିସର ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା। ଘଟଣାରେ ଗିରଫ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଗାଡ଼ିର ଚାଳକ, ହେଲ୍ପର ଓ ମାଲିକ ରହିଛନ୍ତି। ଉଦ୍ଧାର ହୋଇଥିବା ଗୋବଂଶଙ୍କୁ ଆଇନଗତ ପ୍ରକ୍ରିୟା ପରେ ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳର ଏକ ଗୋଶାଳାରେ ସୁରକ୍ଷିତ ଭାବେ ରଖାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ, ଏହି ଆନ୍ତଃରାଜ୍ୟ ଗୋ-ଚାଲାଣ ଚକ୍ର ସହ ଆଉ କେଉଁମାନେ ଜଡ଼ିତ ଅଛନ୍ତି ଏବଂ ଏହି ଚାଲାଣର ପ୍ରକୃତ ଗନ୍ତବ୍ୟସ୍ଥଳ କେଉଁଠି ଥିଲା, ସେନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି।