ଚୌଦ୍ୱାର ବିକାଶ ମଞ୍ଚ ତରଫରୁ ଧାରଣା

ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ପୌରାଞ୍ଚଳରେ ନିୟମିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତିଗ୍ରସ୍ତ ସହକାରୀ ଯନ୍ତ୍ରୀଙ୍କ ତୁରନ୍ତ ବଦଳି ଦାବୀରେ ଚୌଦ୍ୱାର ବିକାଶ ମଞ୍ଚ ତରଫରୁ ସ୍ଥାନୀୟ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯାଇଛି।ମଞ୍ଚର ଅନେକ କର୍ମକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ନାରାବାଜି କରିବା ସହ କାର୍ଯ୍ୟାଳୟ ଘେରାଉ କରିଥିଲେ।ସମ୍ପୂର୍ଣ ଚୌଦ୍ୱାର ପୌରାଞ୍ଚଳରେ ଦୀର୍ଘ ଦିନ ହେବ ଦୂଷିତ ପାନୀୟ ଜଳ ଯୋଗାଯାଉଥିବାରୁ ଜନସାଧାରଣ ନାନା ରୋଗର ଶିକାର ହେଉଛନ୍ତି। ସ୍ଥାନୀୟ ସହକାରୀ ଯନ୍ତ୍ରୀଙ୍କ ବ୍ୟାପକ ଦୁର୍ନୀତି ଓ ଦାୟିତ୍ୱହୀନତା ଯୋଗୁଁ ଜଳ ପ୍ରକଳ୍ପଗୁଡ଼ିକ ଅଚଳ ହୋଇପଡ଼ିବା ସହିତ ସହର ବାସୀଙ୍କ ଦୁର୍ଦଶା ଦୂର କରିବା ପରିବର୍ତ୍ତେ ନିଜର ସ୍ୱାର୍ଥ ହାସଲ ପାଇଁ ଚେଷ୍ଟାରତ ଥିବା ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି।ଆନ୍ଦୋଳନ ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ କଥାବାର୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଭର ପ୍ରତିଶୃତି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ବିକାଶ ମଞ୍ଚର ଏହି ପଦକ୍ଷେପକୁ ସ୍ଥାନୀୟ ଜନସାଧାରଣ ସମର୍ଥନ ଜଣାଇଛନ୍ତି।