ଭଗତପୁର ଛକରୁ ୨୧୦ ଗ୍ରାମ ବ୍ରାଉନ ସୁଗାର ଜବତ, ଯୁବକ ଗିରଫ

ଚୌଦ୍ୱାର (ଶିବବ୍ରତ ଦାସ ) ଧଳା ଜହର ବେପାରୀମାନେ ବୋଧହୁଏ ଭାବି ନେଇଥିଲେ ଯେ ଆଇନର ଆଖିକୁ ଧୂଳି ଦେଇ ସେମାନଙ୍କ କଳା କାରବାର ଅନାୟାସରେ ଚାଲିବ। କିନ୍ତୁ ସେହି ଆଶାରେ ପାଣି ପକାଇଛି କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗ। ଗୁପ୍ତ ସୂଚନାକୁ ଆଧାର କରି ଟାଙ୍ଗୀ ଥାନା ଅନ୍ତର୍ଗତ ଭଗତପୁର ଛକ ନିକଟରେ ଚଢ଼ାଉ କରି ଜଣେ ଯୁବକଙ୍କ ନିକଟରୁ ୨୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଜବତ ସାମଗ୍ରୀର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏହି ବ୍ରାଉନ ସୁଗାର କେଉଁଠାରୁ ଆସିଲା, କାହା ପାଖକୁ ଯିବାକୁ ଥିଲା ଏବଂ ଏହା ପଛରେ ଆଉ କେଉଁମାନେ ସକ୍ରିୟ ଅଛନ୍ତି, ତାହାର ଖୋଳତାଡ଼ ଚାଲିଛି। ପ୍ରଶ୍ନ ଉଠୁଛି? ଯେତେବେଳେ ଏତେ ପରିମାଣର ବ୍ରାଉନ ସୁଗାର ଜବତ ହେଉଛି, ତେବେ ଏହାର ଚେର କେତେ ଗଭୀର? ମାଦକ କାରବାରର ଜାଲ କେବଳ ଜଣେ ଯୁବକ ପର୍ଯ୍ୟନ୍ତ ସୀମିତ, ନା ଏହା ପଛରେ ରହିଛି ଏକ ବଡ଼ ଚକ୍ର? ଏହାର ଉତ୍ତର ତଦନ୍ତ ପରେ ସ୍ପଷ୍ଟ ହେବ। ସ୍ଥାନୀୟ ଲୋକଙ୍କ ମତରେ, କେବଳ ଜବତରେ କାମ ସରିବ ନାହିଁ ମାଦକ କାରବାରରେ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସମଗ୍ର ନେଟୱର୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହିଁ ଆବଶ୍ୟକ।