ଟାଙ୍ଗୀ-ଚୌଦ୍ୱାର ଆଥଲେଟିକ ଆସୋସିଏସନ୍‌ର ବାର୍ଷିକ ବୈଠକ

ଚୌଦ୍ୱାର (ଶିବବ୍ରତ ଦାସ )ଟାଙ୍ଗୀ-ଚୌଦ୍ୱାର ଆଥଲେଟିକ ଆସୋସିଏସନ୍‌ର ବାର୍ଷିକ ବୈଠକ ଓଟିଏମସ୍ଥିତ ଗୋପବନ୍ଧୁ ବିଦ୍ୟାଳୟ ଖେଳ ପଡ଼ିଆରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଗଠନର ଆଗାମୀ ଚାରିବର୍ଷ ପାଇଁ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତାମାନଙ୍କୁ ନିର୍ବାଚିତ କରାଯାଇଥିଲା। ନିର୍ବାଚନରେ ଦିଲୀପ ଛତାର ସଭାପତି ଏବଂ ଅମୂଲ୍ୟ କୁମାର ରାଉତରାୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ ଓ କୋଷାଧକ୍ଷ ସମେତ ବିଭିନ୍ନ ପଦବୀରେ ଏକାଧିକ ସଦସ୍ୟ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ବୈଠକରେ ଆସନ୍ତା ନଭେମ୍ବର ମାସର ଦ୍ୱିତୀୟ ଶନିବାର ଓ ରବିବାର ବ୍ଲକ ସ୍ତରୀୟ ଆଥଲେଟିକ ମିଟ୍ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହିତ ସଂଗଠନର ବିଗତ ବର୍ଷର ଆୟ-ବ୍ୟୟ ବିବରଣୀ, ଅଡିଟ୍ ରିପୋର୍ଟ ଏବଂ ଆଗାମୀ ବର୍ଷ ପାଇଁ ପ୍ରସ୍ତାବିତ ବଜେଟ୍‌କୁ ଗୃହୀତ କରାଯାଇଥିଲା। କ୍ରୀଡ଼ାର ବିକାଶ, ନୂତନ ପ୍ରତିଭାଙ୍କୁ ଉତ୍ସାହିତ କରିବା ଓ ବ୍ଲକରେ ଆଥଲେଟିକ୍ସର ପ୍ରସାର ପାଇଁ ସମସ୍ତ ସଦସ୍ୟ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଏହି ବୈଠକରେ ମତପ୍ରକାଶ ପାଇଥିଲା।