ବିଧାୟକ ନୀଳମଣିଙ୍କ ଦ୍ବାରା ସୋରଡାରେ ‘ନିରୀକ୍ଷଣ ସାଥୀ’ ଅଟୋ ଆମ୍ବୁଲାନ୍ସ ର ଶୁଭାରମ୍ଭ

ସୋରଡା ୦୫/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମା’ ଓ ୧ ବର୍ଷ ଶିଶୁ ମାନଙ୍କ ପାଇଁ ମାଗଣା ଅଟୋ ଆମ୍ବୁଲାନ୍ସ ର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନର ଏହି ଅଭିନବ ପ୍ରୟାସ ତଥା ଜିଲ୍ଲା ସ୍ବାସ୍ଥ୍ୟ ସମିତି ର ସୌଜନ୍ୟତା ରେ ସୋରଡା ବ୍ଲକ୍ ପରିସରରେ ଶୁଭାରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ୧୫ ଟି ଅଟୋ ଆମ୍ବୁଲାନ୍ସ କୁ ସବୁଜ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହାଦ୍ବାରା ସୋରଡା ବ୍ଲକ୍ ର ଗୌଡଗୋଠ, ସଲିମା ଗୋଛା, ଗାଜଲ ବାଡି ଅଞ୍ଚଳ ଅନ୍ତର୍ଗତ ଉପାନ୍ତ ଅଞ୍ଚଳର ଗର୍ଭବତୀ ମା’, ଶିଶୁ ତଥା ରୋଗୀ ମାନଙ୍କୁ ମାଗଣା ରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସହାୟତା ହୋଇପାରିବ। ଆୟୋଜିତ କାର୍ଯ୍ୟକ୍ରମ ରେ ସୋରଡା ବ୍ଲକ୍ ବିଡିଓ ତନ୍ମୟ ପାତ୍ର, ବ୍ଲକ୍ ଅଧ୍ୟକ୍ଷ ଅମୂଲ୍ୟ କୁମାର ସାହୁ, ବ୍ଲକ୍ ସ୍ବାସ୍ଥ୍ୟ ଅଧୀକ୍ଷକ ଡ. ଆଶିଷ ସ୍ଵାଇଁ, ଡ. ଅଜିତ୍ ପାଣିଗ୍ରାହୀ, ଏ ବି ଡି ଓ ସଞ୍ଜୀବ ରାଜ ସେନାପତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅଟୋ ଆମ୍ବୁଲାନ୍ସ ର ସେବା ପାଇବା ପାଇଁ ପ୍ରଦତ୍ତ ଯୋଗାଯୋଗ ନଂ, ଆଶାକର୍ମୀ, ଏ ଏନ୍ ଏମ୍ ଏବଂ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ ପାଇଁ ଆହ୍ଵାନ ଦିଆଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରଂସସା କରାଯାଉଅଛି।