ମୁଜାଗଡ଼ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର, ୦୯/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) : ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ଆଜି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପ ଠାରେ ଏକ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାଧାରଣ ଲୋକଙ୍କ ମଧ୍ୟରେ ଆଇନଗତ ଅଧିକାର, କର୍ତ୍ତବ୍ୟ, ମାଗଣା ଆଇନ ସେବା ଏବଂ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କାର୍ଯ୍ୟକ୍ରମରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସେଖ୍ ମହମ୍ମଦ କଏସ ଯୋଗଦେଇ ଆଇନର ସୁରକ୍ଷା ଓ ନ୍ୟାୟ ପାଇବା ପ୍ରତ୍ୟେକ ନାଗରିକଙ୍କ ଅଧିକାର ବୋଲି କହିଥିଲେ। ଆର୍ଥିକ ଅସୁବିଧା କାରଣରୁ କୌଣସି ବ୍ୟକ୍ତି ଯେପରି ନ୍ୟାୟରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା କମିଟି ପକ୍ଷରୁ ଉପଲବ୍ଧ ମାଗଣା ଆଇନ ସହାୟତା ଓ ପରାମର୍ଶ ବିଷୟରେ ସେ ଲୋକମାନଙ୍କୁ ଅବଗତ କରାଇଥିଲେ।

ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌମ୍ୟ ରଞ୍ଜନ ପୃଷ୍ଟି ଲୋକମାନଙ୍କୁ ନିଜ ଆଇନଗତ ଅଧିକାର ସମ୍ପର୍କରେ ସଚେତନ ରହିବା ସହ ଆଇନକୁ ସମ୍ମାନ କରିବା ଓ ନିଜର ନାଗରିକ କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ କରିଥିଲେ।

ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଯୋଗ୍ୟ ହିତାଧିକାରୀମାନେ ଯେପରି ଏହି ଯୋଜନାଗୁଡ଼ିକର ସୁଫଳ ପାଇପାରିବେ, ସେଥିପାଇଁ ସଚେତନତାର ଆବଶ୍ୟକତା ରହିଥିବା କହିଥିଲେ।

ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର ଆଇନ ଓ ଶୃଙ୍ଖଳା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଲୋକମାନଙ୍କୁ ସଚେତନ କରିଥିଲେ। ଆଇନର ସଠିକ୍ ଜ୍ଞାନ ହିଁ ଅନେକ ସାମାଜିକ ସମସ୍ୟା ଓ ଅପରାଧକୁ ପ୍ରତିହତ କରିବାରେ ସହାୟକ ହୋଇପାରେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସହାୟକ କଲେକ୍ଟର ରାମ ଚନ୍ଦ୍ର ମହାପାତ୍ର ମଧ୍ୟ ଯୋଗଦେଇ ସରକାରୀ ସେବା ଓ ଯୋଜନାର ସୁଫଳ ନେବା ସହ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ରହିବାକୁ ଉପସ୍ଥିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଆଇନ ସେବା କମିଟିର ସଦସ୍ୟ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଅଳକା ମଞ୍ଜରି ପଟ୍ଟନାୟକ ଉପସ୍ଥିତ ରହି ଆଇନ ସଚେତନତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା, ଆଇନଗତ ଓ ପ୍ରଶାସନିକ ବିଷୟ, ପଞ୍ଚାୟତ ସ୍ତରରେ ଆଇନ ସଚେତନତା, ମୌଳିକ କର୍ତ୍ତବ୍ୟ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ‘ବିଶାଖା ଓ ଅନ୍ୟମାନେ ବନାମ ରାଜସ୍ଥାନ ସରକାର’ ମାମଲା ସମ୍ପର୍କରେ ମଧ୍ୟ ସଚେତନତା ପ୍ରଦାନ କରାଯାଇଥିଲା। କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନର ପ୍ରତିରୋଧ ଓ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଆଇନଗତ ବ୍ୟବସ୍ଥା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।
ଏହା ସହିତ ଗ୍ରାମାଞ୍ଚଳ, ଶ୍ରମିକ ବସତି ଓ ବସ୍ତି ଅଞ୍ଚଳରେ ନିୟମିତ ଭାବେ ଏଭଳି ଆଇନ ସଚେତନତା ଶିବିର ଆୟୋଜନ କରି ସାଧାରଣ ଲୋକଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ କରାଇବାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ମୁଜାଗଡ଼ ଅଞ୍ଚଳର ବହୁ ସଂଖ୍ୟକ ମହିଳା, ପୁରୁଷ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ। ସେମାନେ ବିଭିନ୍ନ ଆଇନଗତ ଓ ସାମାଜିକ ସମସ୍ୟା ସମ୍ପର୍କରେ ପ୍ରଶ୍ନ କରିବା ସହ ଉପସ୍ଥିତ ଅଧିକାରୀ ଓ ଆଇନ ସେବା କମିଟିର ସଦସ୍ୟମାନଙ୍କଠାରୁ ଆବଶ୍ୟକ ପରାମର୍ଶ ଗ୍ରହଣ କରିଥିଲେ।

ସାଧାରଣ ଲୋକଙ୍କ ମଧ୍ୟରେ ‘ଆଇନ ସମସ୍ତଙ୍କ ପାଇଁ’ ଏହି ବାର୍ତ୍ତା ପହଞ୍ଚାଇବା ସହ ନ୍ୟାୟିକ ସେବାକୁ ଲୋକଙ୍କ ନିକଟତର କରିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ସାର୍ଥକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।