ତେଳନଦୀ ପୀଠ ଠାରୁ ୮ ଫୁଟ ଲମ୍ବ ଅଜଗର ଉଦ୍ଧାର

କେସିଙ୍ଗା, ୧୦/୮( ପର୍ଶୁରାମ ସିନ୍ଦୁର) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ଗ୍ରାମ ପଞ୍ଚାୟତ ବାହାଦୁରପଦର ଗାଁ ସ୍ଥିତ ତେଳନଦୀ ପୀଠ ଠାରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଅଜଗରର ଲମ୍ବ ୮ ଫୁଟ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ବାହାଦୁରପଦର ଗାଁ କଲୋନୀପଡ଼ାର ମକରନ୍ଦ ମାଝୀ ଓ ତାଙ୍କ ସ୍ତ୍ରୀ ତେଳନଦୀ ନିକଟରେ ଥିବା ନିଜ ଜମିରେ ଚାଷ କାମ କରୁଥିଲେ। ଏହି ସମୟରେ ହଠାତ୍ ସେମାନଙ୍କ ନଜର ଏକ ବଡ଼ ଅଜଗର ଉପରେ ପଡ଼ିଥିଲା। ସାପଟିକୁ ଦେଖି ସେମାନେ ତୁରନ୍ତ କେସିଙ୍ଗା ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ କେସିଙ୍ଗା ବନପାଳ ଯଶୋବନ୍ତ ନାଏକଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଭବାନୀପାଟଣାରୁ ଆସିଥିବା ବନ୍ୟପ୍ରାଣୀ ସଂରକ୍ଷଣ ଟିମ୍‌ର ସହଯୋଗରେ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବିଶାଳ ଅଜଗର ଉଦ୍ଧାର ହେବାର ଖବର ପ୍ରଚାର ହେବା ପରେ ଏହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ଗାଁର ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା।
ଉଦ୍ଧାର ସମୟରେ କେସିଙ୍ଗା ବନପାଳ ଯଶୋବନ୍ତ ନାଏକ, ବନ୍ୟପ୍ରାଣୀ ସଂରକ୍ଷକ ବିକିଜି ନାଗ, ବନ୍ୟପ୍ରାଣୀ ଉଦ୍ଧାରକ ଶଙ୍କର ନାଗ ଏବଂ କେସିଙ୍ଗା ୨ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ନରୋତ୍ତମ ଭାଟି ପ୍ରମୁଖ ଉପସ୍ଥିତ ଥିଲେ। ବନ ବିଭାଗର ତତ୍ପରତା ଯୋଗୁଁ ଅଜଗରଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ସ୍ଥାନୀୟ ଲୋକେ ବନ ବିଭାଗକୁ ପ୍ରଶଂସା କରିଛନ୍ତି।